ରାଜ ପରିବାର ସଦସ୍ୟ କରି ପାରିବ ସମଲିଙ୍ଗୀ ବିବାହ, ଛାଡ଼ିବାକୁ ପଡ଼ିବନି ସିଂହାସନ…

ଆମଷ୍ଟେରଡାମ୍‌,୧୩।୧୦: ଏବେ ରାଜ ପରିବାରରେ ସମଲିଙ୍ଗୀ ବିବାହ କରିବା ସହଜ ହେବ। ରାଜ ପରିବାର ସଦସ୍ୟ ନିଜ ସିଂହାସନ ନ ଛାଡ଼ି ଏଭଳି ବିବାହ କରିପାରିବେ। ଏନେଇ ନେଦରଲାଣ୍ଡ ପ୍ରଧାନମନ୍ତ୍ରୀ ମାର୍କ ରୁଟ୍‌ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଡଚ୍‌ ରାଜପରିବାର ସଦସ୍ୟ ଅବା ରାଜାଙ୍କୁ କୌଣସି ସମଲିଙ୍ଗୀଙ୍କୁ ବିବାହ କଲେ ଆଉ ପଦବୀ ଛାଡ଼ିବାର ଆବଶ୍ୟକତା ନାହିଁ। ପୂର୍ବରୁ ଏନେଇ ଡଚ୍‌ ରାଜପରିବାରଙ୍କୁ ଦେଶ ସଂସଦର କ୍ୟାବିନେଟ୍‌ର ମଞ୍ଜୁରୀ ନେବାକୁ ପଡୁଥିଲା।

ସିଂହାସନ ଉତ୍ତରାଧିକାରୀଙ୍କ ଉପରେ ଲିଖିତ ପୁସ୍ତକ ‘ଅମାଲିଆ ଡ୍ୟୁଟି କ୍ଲୋସ୍‌’ ପ୍ରକାଶିତ ହେବା ପରେ ଏନେଇ ବିବାଦ ଉଠିଥିଲା। ରାଜକୁମାରୀ ଅମାଲିୟା ରାଜା ଓ୍ବିଲିୟମ୍‌ ଆଲେକ୍ସଜାଣ୍ଡାରଙ୍କ ବଡ଼ ସନ୍ତାନ। ଚଳିତ ବର୍ଷ ଡିସେମ୍ବର ୭ରେ ସେ ୧୮ ବର୍ଷ ବୟସ୍କା ହେବେ। ତାଙ୍କର ସମଲିଙ୍ଗୀ ବିବାହକୁ ନେଇ ଚର୍ଚ୍ଚା ହେଉଛି।

ଇତିମଧ୍ୟରେ ଅମାଲିୟା ରାଜପରିବାର ପକ୍ଷରୁ ପ୍ରଦାନ କରାଯାଉଥିବା ବାର୍ଷିକ ୧.୬ ନିୟୁତ ୟୁରୋ ଭତ୍ତାକୁ ପ୍ରତ୍ୟାଖାନ କରିଛନ୍ତି। ୧୮ ବର୍ଷ ବୟସ୍କା ହେବାପରେ ସେ ଏହାର ଅଧିକାରିଣୀ ହୋଇପାରିବେ।

ତେବେ କ୍ୟାବିନେଟ୍‌ର ନୂଆ ନିଷ୍ପତ୍ତି ପରେ ଏବେ ଅମାଲିୟାଙ୍କ ଜୀବନରେ ନୂଆ ମୋଡ଼ ଆସିବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି।

Share