Categories: ଜାତୀୟ

ଆର୍‌ପିଏଫ୍‌ କନ୍‌ଷ୍ଟେବଳ ବହିଷ୍କୃତ

ମୁମ୍ବାଇ,୧୭।୮: ଜୟପୁର-ମୁମ୍ବାଇ ଏକ୍ସପ୍ରେସ୍‌ ଗୁଳିକାଣ୍ଡ ଘଟଣାର ଅଭିଯୁକ୍ତ ଆର୍‌ପିଏଫ୍‌ କନ୍‌ଷ୍ଟେବଳ ଚେତନ ସିଂଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଗତ ୧୧ ତାରିଖରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇବା ଲାଗି କୋର୍ଟ ନିର୍ଦ୍ଦେଶ ଦେବା ପରେ ଚେତନ ବର୍ତ୍ତମାନ ଠାଣେ କେନ୍ଦ୍ରୀୟ କାରାଗାରରେ ଅଛନ୍ତି। ଜୁଲାଇ ୩୧ ତାରିଖରେ ଏହି ଘଟଣା ଘଟିଥିଲା। ଜୟପୁର-ମୁମ୍ବାଇ ଏକ୍ସପ୍ରେସ୍‌ରେ ନିଜ ସହକର୍ମୀଙ୍କ ସହ ଏସ୍‌କର୍ଟ ଡ୍ୟୁଟିରେ ଥିବାବେଳେ ସିନିୟର ଅଧିକାରୀ ଟିକାରାମ ମୀନାଙ୍କ ସମେତ ଅନ୍ୟ ୩ ଜଣଙ୍କୁ ଗୁଳିକରି ହତ୍ୟା କରିଥିଲେ।

ଅପରପକ୍ଷେ ଅସୁସ୍ଥ ଥିବା ସତ୍ତ୍ୱେ ତାଙ୍କ ଉପର ଅଧିକାରୀ ତାଙ୍କୁ ଛୁଟି ଦେଉନ ଥିବା ଚେତନ ଅଭିଯୋଗ କରିଛନ୍ତି ବୋଲି ରେଳପଥ ପୋଲିସ କହିଛି। ଗୁଳିକାଣ୍ଡ ଭିଆଇବା ବେଳେ ଚେତନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମ ଉଚ୍ଚାରଣ କରିଥିବା ନିକଟରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଅନ୍ୟଏକ ରିପୋର୍ଟ ଅନୁସାରେ ଚେତନ ଜଣେ ବୁର୍ଖା ପିନ୍ଧିଥିବା ମହିଳାଙ୍କୁ ‘ଜୟ ମାତାଦି’ କହିବାକୁ ବାଧ୍ୟ କରିଥିଲେ।

Share