କାମରେ ଆସୁନି ଜଳସେଚନ ପ୍ରକଳ୍ପ, ଚିନ୍ତାରେ ଚାଷୀ

ବେଗୁନିଆ,୨୩ା୬(ହର ପ୍ରସନ୍ନ ପଣ୍ଡା): ଆଉ ଦିନ କେଇଟା ପରେ ଜୁନ୍‌ ମାସ ସରିବାକୁ ଥିବା ବେଳେ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଞ୍ଚଳରେ ଖରିଫ୍‌ ଚାଷ କାର୍ଯ୍ୟ ଆଗେଇ ପାରୁନି। କଁା ଭଁା ଜମିରେ ଚାଷୀ ବିହନ ବୁଣି ଚାଷକାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ଗଜା ହେଉନାହିଁ। ବିଳମ୍ବ ମୌସୁମୀ ପ୍ରବାହ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। ଅନ୍ୟପଟେ ବ୍ଲକ ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା ରହିଥିଲେ ମଧ୍ୟ ତାହା କାର୍ଯ୍ୟରେ ଆସୁନ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି ବୋଲି ଚାଷୀମାନେ କହିଛନ୍ତି।
ସୂଚନାଥାଉ କି, ବେଗୁନିଆ ବ୍ଲକର ୮୦ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। ମୁଖ୍ୟ ଫସଲ ହେଲା ଧାନ। ତେବେ ଝଡ଼ତୋଫାନ, ଅଦିନିଆ ବର୍ଷା ତ’ ଆଉ କେତେବେଳେ ନିଅଣ୍ଟିଆ ବର୍ଷା ଯୋଗୁ ଫସଲ ହାନି ହେଉଛି। ଚଳିତବର୍ଷ ମଧ୍ୟ ସମାନ ସମସ୍ୟା ଦେଖାଦେଇଛି। ମୌସୁମୀ ଆସିବାରେ ବିଳମ୍ବ ଯୋଗୁ ଜୁନରେ ନିଅଣ୍ଟିଆ ବର୍ଷା ହୋଇଥିବା ଆକଳନ କରାଯାଇଛି। ଫଳରେ ଚାଷ କାର୍ଯ୍ୟ ଆଗେଇ ପାରିନାହିଁ। ଅକ୍ଷୟ ତୃତୀୟା ପରେ ଖରିଫ୍‌ ଧାନ ଚାଷ ପାଇଁ ଚାଷୀମାନେ ପ୍ରସ୍ତୁତି ଆରମ୍ଭ କରିଥିଲେ। ମୌସୁମୀ ଆସିବ ବୋଲି ଜମିରେ ଧାନ ବିହନ ବୁଣି ଚାଷକାର୍ଯ୍ୟ ତ୍ୱରାନ୍ବିତ କରିଥିଲେ। ଆଉ କେତେକ ଜମିରେ ମାଟିର ପାଗ ଦେଖି ଧାନ ବିହନ ତଳି ପକାଇଥିଲେ। ତେବେ ନିଅଣ୍ଟିଆ ବର୍ଷା ଯୋଗୁ କେତେକ ସ୍ଥାନରେ ଗଜା ମରୁଡି ହୋଇଯାଇଥିବା ବେଳେ କେତେକ ଚାଷୀଙ୍କ ବିହନ ଗଜା ହୋଇନାହିଁ। ତେବେ ସଅଳ କିସମ ଧାନ ତଳିର କାର୍ଯ୍ୟ ସମୟ ଗଡିଯାଉଥିବା ବେଳେ ମଧ୍ୟମ କିସମ ଧାନ ତଳି କାର୍ଯ୍ୟ ଆଗେଇ ପାରୁନାହିଁ ବୋଲି ସ୍ଥାନୀୟ ଅଞ୍ଚଳର ଚାଷୀମାନେ କହିଛନ୍ତି। ସାର କିସମ ଧାନ ସ୍ବର୍ଣ୍ଣମସୁରୀ, ସୂର୍ଯ୍ୟମୁଖୀ, ଲଘୁଭୁତିଆ ଆଦି ଧାନର ତଳି ରୁଆ ପୋତା ପାଇଁ ଚାଷୀ ଅପେକ୍ଷା କରି ବସିଥିବା ବେଳେ ଜମି ସୁଖିଲା ପଡ଼ିଛି। ଫଳରେ ସମ୍ଭାବ୍ୟ ମରୁଡ଼ି ଆଶଙ୍କା ଚାଷୀଙ୍କୁ ଚିନ୍ତାରେ ପକାଇଛି। ଅନ୍ୟପକ୍ଷରେ ଜମିରେ ପାଣି ମଡାଇବା ପାଇଁ ସରକାରଙ୍କ ପକ୍ଷରୁ ଯେଉଁସ୍ଥାନରେ ଜଳସେଚନ ପ୍ରକଳ୍ପ ରହିଛି ତାହା କାର୍ଯ୍ୟରେ ଆସୁନାହିଁ। ପ୍ରକଳ୍ପ କେଉଁଠି ଭାଙ୍ଗିରୁଜି ଗଲାଣି ତ’ ଆଉ କେଉଁଠି ରକ୍ଷଣାବେକ୍ଷଣ ଅଭାବରୁ ଜଳ ସଞ୍ଚୟ ହୋଇପାରୁନି। ଏଥିପାଇଁ ପ୍ରଶାସନ, ଜଳସେଚନ ବିଭାଗ ଓ ଜନପ୍ରତିନିଧିଙ୍କୁ ଚାଷୀମାନେ ଦାୟୀ କରିଛନ୍ତି। ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ଦୃଷ୍ଟି ଦେଉନାହାନ୍ତି ବୋଲି ଚାଷୀ ବିଭୁପ୍ରସାଦ ପଣ୍ଡା, ରବୀନ୍ଦ୍ର ବେହେରା, ପରମାନନ୍ଦ ସାହୁ ପ୍ରମୁଖ କହିଛନ୍ତି। ସରକାରୀ ନିୟମାନୁସାରେ ବ୍ଲକ ଅଞ୍ଚଳରେ ୩୩ପ୍ରତିଶତ ଜଳସେଚନ ବ୍ୟବସ୍ଥା ରହିବାକୁ ଥିବା ବେଳେ ଏହି ବ୍ଲକ ଅଞ୍ଚଳରେ ୧୨ପ୍ରତିଶତ ଜଳସେଚନ ବ୍ୟବସ୍ଥା କରାଯାଇଛି।