ତୃତୀୟ ସପ୍ତାହରେ ଫିଲ୍ମ ‘ଆରଆରଆର’ର ଜବରଦସ୍ତ ରେକର୍ଡ

ମୁମ୍ବାଇ: କୋମାରାମ ଭୀମ ଓ ଆଲୁରୀ ସୀତାରାମ ରାଜୁଙ୍କ ଚରିତ୍ରରେ ଅଭିନୟ କରିଥିବା ଜୁନିୟର ଏନ୍‌ଟିଆର ଓ ରାମଚରଣଙ୍କ ବେଶ୍‌ ରୋମାଞ୍ଚକର କାହାଣୀ ‘ଆରଆରଆର’ ବକ୍ସ ଅଫିସ୍‌ରେ ଏବେ ଧମାଲ୍‌ କରୁଛି। ଦିନକୁ ଦିନ ଏହି ଫିଲ୍ମ ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି। ବର୍ତ୍ତମାନ ଏହି ଫିଲ୍ମର ହିନ୍ଦୀ ସଂସ୍କରଣ ଉପରେ ସମସ୍ତଙ୍କ ନଜର ରହିଛି। କାରଣ ଏହି ଫିଲ୍ମ ଏବେ ୨୫୦ କୋଟି ଟଙ୍କା ଆୟ କରିବା ଲକ୍ଷ୍ୟରେ ଅଗ୍ରସର ହେଉଛି। ସୋମବାର ଆୟକୁ ଦେଖିଲେ ଆସନ୍ତା ୩ଦିନ ମଧ୍ୟରେ ଜବରଦସ୍ତ ରେକର୍ଡ କରି ଏହି ଫିଲ୍ମ ୨୫୦ କୋଟି ଟଙ୍କା ଆୟ କରିବ ବୋଲି କୁହାଯାଉଛି। ନିର୍ଦ୍ଦେଶକ ଏସ୍‌.ଏସ୍‌. ରାଜାମୌଲିଙ୍କ ଫିଲ୍ମ ‘ଆରଆରଆର’ ହିନ୍ଦୀ ସଂସ୍କରଣ ତୃତୀୟ ସପ୍ତାହରେ ପ୍ରାୟ ୨୩କୋଟି ଟଙ୍କା ଆୟ କରିଛି। ତୃତୀୟ ରବିବାର ସୁଦ୍ଧା ଫିଲ୍ମର ନେଟ୍‌ କଲେକ୍ସନ ୨୩୧.୫୯ କୋଟି ଟଙ୍କା ରହିଥିଲା। ତୃତୀୟ ଶୁକ୍ରବାର ସୁଦ୍ଧା ଏହି ଫିଲ୍ମଟି ପ୍ରାୟ ୫.୫୦ କୋଟି ଟଙ୍କା ଆୟ କରିଥିଲା। ହିନ୍ଦୀରେ ରିଲିଜ ହୋଇଥିବା ସମସ୍ତ ସିନେମା ମଧ୍ୟରେ ଆୟ ଦୃଷ୍ଟିରୁ ଏହି ଫିଲ୍ମ ୧୮ ନମ୍ବରରେ ପହଞ୍ଚିଛି। ଏହି ବିଜୟ ଯାତ୍ରାରେ ତୃତୀୟ ସପ୍ତାହ ଶେଷରେ ରୋଜଗାର କରିବା କ୍ଷେତ୍ରରେ ଫିଲ୍ମ ଶାହିଦ କପୁରଙ୍କ ‘କବୀର ସିଂ’ ଏବଂ ‘ଉରି: ସର୍ଜିକାଲ ଷ୍ଟ୍ରାଇକ’କୁ ମଧ୍ୟ ଅତିକ୍ରମ କରିଛି। ତେବେ ତୃତୀୟ ସପ୍ତାହରେ ୨୫୦ କୋଟି ଟଙ୍କା ଅତିକ୍ରମ କରିବା ପାଇଁ ବର୍ତ୍ତମାନ ‘ଆରଆରଆର’କୁ ଗୁରୁବାର ସୁଦ୍ଧା ୨୦ କୋଟି ଟଙ୍କା ଅଧିକ ଆୟ କରିବାକୁ ପଡିବ।

Share