ଗେରୁଆ ରଙ୍ଗର ପୋଷାକ ସାଙ୍ଗକୁ ମଥାରେ ତିଳକ: ଚର୍ଚ୍ଚାରେ ଜୁନିୟର ଏନ୍‌ଟିଆର୍‌…

ହାଇଦ୍ରାବାଦ: ନୂଆ ଗେଟ୍‌ଅପ୍‌କୁ ନେଇ ଚର୍ଚ୍ଚାରେ ଜୁନିୟର ଏନ୍‌ଟିଆର୍‌। ଗେରୁଆ ରଙ୍ଗର କୁର୍ତ୍ତା ସାଙ୍ଗକୁ ପାଇଜାମା, ବେକରେ ମାଳ, ମଥାରେ ତିଳକ ମାରିଥିବା ତାଙ୍କର କିଛି ଫଟୋ ଭାଇରାଲ ହୋଇଥିଲା। କେହି କେହି ସେ ବାବା ହୋଇଯିବେ ବୋଲି କହୁଥିବା ବେଳେ କେହି ତା’ ଏପରି ରୂପ ପଛର କାରଣ ଜାଣିବାକୁ ବ୍ୟଗ୍ର ଥିଲେ। ଏହା ପଛର କାହାଣୀ ଭିନ୍ନ।

ନିର୍ଦ୍ଦେଶକ ଏସ୍‌.ଏସ. ରାଜମୌଲିଙ୍କ ଫିଲ୍ମ ‘ଆରଆରଆର’ରେ ନଜର ଆସିଥିଲେ ଏନ୍‌ଟିଆର୍‌। ଏହା ୧୦୦୦ କୋଟିରୁ ଅଧିକ ଆୟ କରି ସାରିଲାଣି। ଫିଲ୍ମର ସଫଳତା ଦେଖି ଜୁନିଅର ଏନ୍‌ଟିଆର୍‌ ବେଶ ଖୁସି ଥିବା ବେଳେ ଭଗବାନଙ୍କ ନିକଟରେ ଏଥିନିମନ୍ତେ କୃତଜ୍ଞତା ଜଣାଇଛନ୍ତି। ଏପରିକି ସେ ନିଜେ ହନୁମାନ ଦୀକ୍ଷା ନେଇଛନ୍ତି। ସେ ୨୧ ଦିନ ପର୍ଯ୍ୟନ୍ତ ଖାଲି ପାଦରେ ରହିବେ, ଜୋତା ପିନ୍ଧିବେ ନାହିଁ। ଏହି ସମୟରେ ସେ ଗେରୁଆ ବସ୍ତ୍ର ପିନ୍ଧିବା ସହ ସାତ୍ତ୍ୱିକ ଭୋଜନ ଗ୍ରହଣ କରିବେ ବୋଲି ଜଣାଯାଇଛି। ଏହାପୂର୍ବରୁ ‘ଆରଆରଆର’ ଫିଲ୍ମର ଅନ୍ୟତମ ହିରୋ ରାମଚରଣ ସବରୀମାଳା ମନ୍ଦିରରେ ଦୀକ୍ଷା ଗ୍ରହଣ କରିଥିଲେ।

Share