ମାସ୍କ ଚେକିଂ ବେଳେ ୧.୩୦ କୋଟି ଟଙ୍କାର ବ୍ରାଉନସୁଗାର ଜବତ

ଭଦ୍ରକ ଅଫିସ, ୨୭।୧୦: ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ବୁଧବାର ମାସ୍କ ଚେକିଂ ସମୟରେ ରାନ୍ଦିଆ ନିକଟରୁ ୧ କିଲୋ ୩୦ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଗଣିଜାଙ୍ଗ ହାସିନପୁର ଗାଁର ଶ୍ରୀକାନ୍ତ ପ୍ରଧାନ ଓ ଅରୁଣ ସେଠୀ।
ଭଦ୍ରକ-ଆନନ୍ଦପୁର ୫୩ ନଂ. ରାଜ୍ୟ ରାଜପଥର ରାନ୍ଦିଆ ଛକ ନିକଟରେ ଗ୍ରାମାଞ୍ଚଳ ପୋଲିସ ମାସ୍କ ଚେକିଂ କରୁଥିଲା। ଏହି ସମୟରେ ଶ୍ରୀକାନ୍ତ ଓ ଅରୁଣ ଏକ ବାଇକ୍‌ରେ ବିନା ମାସ୍କ ଏବଂ ହେଲ୍‌ମେଟରେ ଆସୁଥିବା ଦେଖି ପୋଲିସ ସେମାନଙ୍କୁ ଅଟକାଇଥିଲା। କିନ୍ତୁ ସେମାନେ ପୋଲିସକୁ ଦେଖି ବାଇକ୍‌ ଛାଡ଼ି ଦୌଡ଼ି ପଳାଇଥିଲେ। ପରେ ପୋଲିସ ସେମାନଙ୍କୁ କାବୁ କରିବା ସହ ଯାଞ୍ଚ କରିବାରୁ ବ୍ରାଉନସୁଗାର ମିଳିଥିଲା। ଏହାର ଆନୁମାନିକ ମୂଲ୍ୟ ୧ କୋଟି ୩୦ ଲକ୍ଷ ହେବ ବୋଲି ଭଦ୍ରକ ଏସ୍‌ପି ଚରଣ ସିଂ ମୀନା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କ ବାଇକ୍‌ ଜବତ ହୋଇଛି। ଏନେଇ ଥାନାରେ ମାମଲା (ନଂ.୪୪୨/୨୧) ରୁଜୁ କରାଯାଇଛି। ତେବେ ସେମାନେ କେଉଁଠାରୁ ଏତେ ପରିମାଣର ବ୍ରାଉନସୁଗାର ଆଣିଥିଲେ ଓ କେଉଁ ସ୍ଥାନକୁ ନେଇ ଯାଉଥିଲେ ସେ ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଛି।

Share