ରାୟଗଡ଼ା ଜିଲାରେ ୧୦ ଟଙ୍କିଆ ମୁଦ୍ରା ଅଚଳ

ରାୟଗଡ଼ା,୨୨ା୧୨(ସ୍ବ.ପ୍ର.): ଦେଶରେ ସବୁଠି ୧୦ ଟଙ୍କିଆ ମୁଦ୍ରା ପ୍ରଚଳିତ ଥିବାବେଳେ କେତେକ ଅଞ୍ଚଳରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଦକ୍ଷିଣ ଓଡ଼ିଶାରେ ଏହା ଅଚଳ ହୋଇଛି। ରାୟଗଡ଼ା ଜିଲାରେ ବଜାରରେ କୌଣସି ସ୍ଥାନରେ ୧୦ ଟଙ୍କିଆ ମୁଦ୍ରା ଅଚଳ ଥିବାବେଳେ କେବଳ ବ୍ୟାଙ୍କରେ ଏହାକୁ ଗ୍ରହଣ କରାଯାଉଛି। ଏହାକୁ ନେଇ ଲୋକେ ସମସ୍ୟାରେ ପଡ଼ୁଛନ୍ତି। ହେଲେ ଏ ନେଇ କୌଣସି ସମାଧାନର ବାଟ ମଧ୍ୟ ବାହାରୁନି।

୨୦୦୯ ମାର୍ଚ୍ଚରେ ଆର୍‌ବିଆଇ ପକ୍ଷରୁ ୧୦ ଟଙ୍କିଆ ମୁଦ୍ରା ପ୍ରଚଳନ କରାଯାଇଥିଲା। ଏହାର ଆକର୍ଷଣୀୟ ଡିଜାଇନ ଯୋଗୁ ଦେଶରେ ଏହା ବହୁଳ ଭାବେ ବ୍ୟବହାର ମଧ୍ୟ ହେଉଛି। ହେଲେ କରୋନା ସମୟରେ ଏହି ମୁଦ୍ରା ଅଚଳ ହୋଇଥିବା ନେଇ ଜିଲାରେ ଗୁଜବ ପ୍ରଚାର ହୋଇଥିଲା। ଏହା ପରଠାରୁ ଜିଲାରେ ଆଉ ୧୦ ଟଙ୍କିଆ ମୁଦ୍ରା କେହି ଗ୍ରହଣ କରୁନାହଁାନ୍ତି। ପ୍ରଥମେ ବ୍ୟବସାୟୀମାନେ ଗ୍ରାହକଙ୍କ ଠାରୁ ଏହି ମୁଦ୍ରା ଗ୍ରହଣ କରି ନ ଥିଲେ। ପରେ ଗ୍ରାହକମାନେ ମଧ୍ୟ ବ୍ୟବସାୟୀଙ୍କ ଠାରୁ ଗ୍ରହଣ କରୁନାହାଁନ୍ତି। ଏମିତିକି ଶପିଂମଲରେ ମଧ୍ୟ ଏହି ମୁଦ୍ରା ଗ୍ରହଣ କରୁନାହାଁନ୍ତି। ଜିଲାର ବ୍ୟବସାୟୀମାନେ ନିଜ ଇଚ୍ଛାରେ ନିୟମ କରି ଏହାକୁ ଅଚଳ କରିଦେଇଥିବା ଅଭିଯୋଗ ହେଉଛି। ଲୋକଙ୍କ କହିବା ହେଲା, ଏହି ମୁଦ୍ରା ଏବେ ଜିଲାରେ ଲୋକେ କେବଳ ଘରେ ସାଇତି ରଖିବା ବ୍ୟତୀତ କୌଣସି କାମରେ ଲାଗୁନି। ଆଉ କେତେଜଣ ପିଲାଙ୍କ ପିଗି ବ୍ୟାଙ୍କର ଓଜନ ବଢ଼ାଇଛି।

ଏବଂ ପଡ଼ୋଶୀ ଆନ୍ଧ୍ର ପ୍ରଦେଶରେ ୧୦ ଟଙ୍କିଆ ମୁଦ୍ରା କାରବାର ହେଉଥିବାବେଳେ ରାୟଗଡ଼ା ଜିଲାରୁ ଯାଉଥିବା ଲୋକେ ସେଠାରେ ୧୦ ଟଙ୍କିଆ ମୁଦ୍ରାର ବ୍ୟବହାର କରୁଛନ୍ତି। ହେଲେ ସେଠାରୁ ଏହି ମୁଦ୍ରା ଗ୍ରହଣ କରୁନାହାଁନ୍ତି। ଫଳରେ ଅନେକ ସମୟରେ ସେଠାକାର ବ୍ୟବସାୟୀଙ୍କ ସହ ବଚସା ହେଉଛି। ୧୦ ଟଙ୍କିଆ ମୁଦ୍ରା ପ୍ରଚଳନ ନେଇ ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ବ୍ୟାଙ୍କରେ ସଚେତନତା ଫଳକ ଲଗାଯାଇଛି। ହେଲେ ବ୍ୟବସାୟୀ କିମ୍ବା ଜନସାଧାରଣ ଏହାକୁ ମାନୁ ନାହାଁନ୍ତି। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) କୌଣସି ମୁଦ୍ରାକୁ ଅଚଳ ବୋଲି ଘୋଷଣା ନ କରିବା ପର୍ଯ୍ୟନ୍ତ ଏହାକୁ କେହି ନିଷିଦ୍ଧ କରିପାରିବେ ନାହିଁ। ଏହା ଆଇନଗତ ଅପରାଧ। ହେଲେ ରାୟଗଡ଼ା ଜିଲାରେ ଏହାକୁ କେହି ମାନିବାକୁ ନାରାଜ। ଏ ନେଇ ସ୍ଥାନୀୟ ଏକ ବ୍ୟାଙ୍କର ମ୍ୟାନେଜରଙ୍କୁ ପଚାରିବାରୁ ଆର୍‌ବିଆଇ ପକ୍ଷରୁ ୧୦ ଟଙ୍କିଆ ମୁଦ୍ରା ଅଚଳ କରାଯାଇ ନାହିଁ ବୋଲି କହିଛନ୍ତି।

ଏଥିସହ ଲୋକଙ୍କୁ ବାରମ୍ବାର ବୁଝାଇବା ସତ୍ୱେ ସେମାନେ ବୁଝୁନାହାଁନ୍ତି ବୋଲି ସେ କହିଛନ୍ତି। ତେବେ ଏହି ଗୁଜବକୁ ଦୂର କରିବା ଦିଗରେ ବ୍ୟାଙ୍କ ଅଧିକାରୀ, ପୋଲିସ, ଜିଲା ପ୍ରଶାସନର ଉଦ୍ୟମ ଜରୁରୀ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।

Share