୧୦୬ କୋଟି ଟଙ୍କାର ଜାଲ୍‌ ବିଲ୍‌ ର଼୍ୟାକେଟ

ଭୁବନେଶ୍ୱର,୨୯।୬(ବ୍ୟୁରୋ): ନିଜେ କିଛି କିଣାବିକା କରୁ ନ ଥିଲେ। ଜାଲ୍‌ କାଗଜପତ୍ରରେ କମ୍ପାନୀ କରି ଜାଲ୍‌ ବିଲ୍‌ ପ୍ରସ୍ତୁତ କରୁଥିଲେ। ଉକ୍ତ ଜାଲ୍‌ ବିଲ୍‌ ମାଧ୍ୟମରେ ଅଭିନବ ଉପରେ ଜିଏସ୍‌ଟି ଠକେଇ କରୁଥିଲେ। ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଓ୍ବିଙ୍ଗ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସୋମବାର ଏକ ବଡ଼ଧରଣର ଜାଲ୍‌ ବିଲ୍‌ ର଼୍ୟାକେଟକୁ ଧରିଛି। ର଼୍ୟାକେଟର ମାଷ୍ଟରମାଇଣ୍ଡ୍‌ ଭୁବନେଶ୍ୱର ବାପୁଜୀନଗରରେ ରହୁଥିବା ସ୍ମୃତି ରଞ୍ଜନ ସାହୁଙ୍କୁ ଗିରଫ କରାଯାଇଛି। ସ୍ମୃତି ରଞ୍ଜନ ଅନ୍ୟ ସହଯୋଗୀଙ୍କ ସହ ମିଶି ୧୪ଟି ଜାଲ୍‌ କମ୍ପାନୀ ଖୋଲି ୧୦୬ କୋଟି ଟଙ୍କାର ଜାଲ୍‌ କ୍ରୟ ବିକ୍ରୟ ବିଲ୍‌ ମାଧ୍ୟମରେ ୧୯.୪ କୋଟି ଟଙ୍କାର ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ୍‌ ହାତେଇବା ସହ ସରକାରଙ୍କୁ ଠକିଛନ୍ତି। ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ କରିବାକୁ ସ୍ମୃତି ରଞ୍ଜନଙ୍କୁ ଜେରା କରାଯାଉଛି। ଏଥିସହିତ ଜାଲ୍‌ ର଼୍ୟାକେଟର ଲିଙ୍କ୍‌ ରାଜ୍ୟ ବାହାରକୁ ଲମ୍ବିଥିବା ଜଣାପଡିବା ପରେ ତନାଘନା ଆରମ୍ଭ ହୋଇଛି।
ବାଣିଜ୍ୟକର ଓ ଜିଏସ୍‌ଟି କମିଶନରେଟର ସୂଚନା ଅନୁଯାୟୀ, ସ୍ମୃତିରଞ୍ଜନ ସହଯୋଗୀଙ୍କ ସହ ମିଶି ଅନୁଗୋଳ, ଯାଜପୁର, ରାଉରକେଲା, ଜଗତ୍‌ସିଂହପୁର, ଭୁବନେଶ୍ୱର ଓ ପାରାଦୀପ ଅଞ୍ଚଳରୁ ଲୋକଙ୍କ ବ୍ୟାଙ୍କ ଓ ଅନ୍ୟାନ୍ୟ କାଗଜପତ୍ର ହାସଲ କରିଥିଲେ। ମୁଖ୍ୟତଃ ସେମାନେ କୃଷକ, ଗୃହିଣୀ, ଛୋଟ ଦୋକାନୀ, ବେକାର ଯୁବତୀ ଯୁବକ, ଦିନ ମଜୁରିଆ, ଅଟୋ ଚାଳକ ଆଦି ଶ୍ରେଣୀର। ସେମାନଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ନିଜେ ବ୍ୟବହାର କରିବା ସହ ସେମାନଙ୍କ ନାମରେ ୧୪ଟି ନକଲି ଫାର୍ମ ଖୋଲି ଜାଲ୍‌ ଜିଏସ୍‌ଟି ପ୍ରସ୍ତୁତ କରୁଥିଲେ। ବରମୁଣ୍ଡାରେ ଏସ୍‌.ଆର୍‌. ଏଣ୍ଟରପ୍ରାଇଜେସ୍‌ ନାମକ ଏକ ଆଇରନ୍‌ ଓ ଷ୍ଟିଲ୍‌ କମ୍ପାନୀ ଥିବା ଦର୍ଶାଇ ଠକୁଥିଲେ। ହେଲେ ସେଭଳି କୌଣସି କମ୍ପାନୀ ନ ଥିବାବେଳେ ସେ ଦେଇଥିବା ଘରଭଡ଼ା ଏଗ୍ରିମେଣ୍ଟ ମଧ୍ୟ ଜାଲ୍‌ଥିବା ଏନ୍‌ଫୋର୍ସମେଣ୍ଟ ଓ୍ବିଙ୍ଗ୍‌ ଜାଣିବାକୁ ପାଇଥିଲା। ଏହାପରେ ଟିମ୍‌ ପକ୍ଷରୁ ୬ମାସରୁ ଊର୍ଦ୍ଧ୍ୱ ହେବ ତାଙ୍କ ଉପରେ ନଜର ରଖାଯାଇଥିଲା। ରବିବାର ସ୍ମୃତିରଞ୍ଜନଙ୍କ ୩ଟି ଘରେ ଚଢ଼ାଉ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କର ୩ ଘର ସମେତ ଏକ ଭଡ଼ା ଘର, ସ୍ତ୍ରୀଙ୍କ ନାମରେ କ୍ଲିନିକ ଓ ୪ ଦାମୀ କାର ରହିଥିବା ଯାଞ୍ଚବେଳେ ଜଣାପଡିଛି।
ସୂଚନାଯୋଗ୍ୟ, ଏନ୍‌ଫୋର୍ସମେଣ୍ଟ ଓ୍ବିଙ୍ଗ୍‌ ବର୍ତ୍ତମାନ ସୁଦ୍ଧା ଏଭଳି ଠକେଇ କରିଥିବା ୧୮ଜଣଙ୍କୁ ଗିରଫ କରିଛି। ଏହାବାଦ୍‌ ରାଜ୍ୟ ଜିଏସ୍‌ଟି ବିଭାଗ ଦ୍ୱାରା ଗତ ଦୁଇବର୍ଷରେ ୧୯,୫୩୯ଜଣ ବ୍ୟବସାୟୀଙ୍କ ପଞ୍ଜୀକରଣକୁ ରଦ୍ଦ କରାଯାଇଛି।

Share