
ବରଗଡ଼,୨୫।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ନୂତନ ରଙ୍ଗ ମହଲ ନିର୍ମାଣ ହେବ। ୧୨.୭୯ କୋଟି ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ଏହି ପ୍ରକଳ୍ପକୁ ସରକାରୀ ଅନୁମୋଦନ ମିଳିସାରିଛି। ସ୍ଥାନୀୟ ନିଶାମଣି ସ୍କୁଲ ପଡ଼ିଆ ପଛପଟ ସରକାରୀ ବସଷ୍ଟାଣ୍ଡ ପରିସରରେ ରହିଥିବା ପଡ଼ିଆରେ ଏହା ନିର୍ମାଣ କରିବାକୁ ପରିକଳ୍ପନା ଚାଲିଛି। ଏହି କ୍ରମରେ ରବିବାର ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲ ଏବଂ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅରୁଣ ପାଣ୍ଡେ ସମ୍ପୃକ୍ତ ଜାଗା ପରିଦର୍ଶନ କରିଛନ୍ତି। ନୂତନ ରଙ୍ଗ ମହଲ ନିର୍ମାଣ ପାଇଁ ପାଖାପାଖି ୬୦ଡେସିମିଲ ଜମିର ଆବଶ୍ୟକତା ରହିଛି। ଏହି ପ୍ରକଳ୍ପ ପର୍ଯ୍ୟଟନ ବିଭାଗ ଅଧିନରେ ଆସୁଥିବା ଯୋଗୁ ନୂତନ ରଙ୍ଗ ମହଲ କେଉଁଠାରେ ନିର୍ମାଣ କରାଯିବ, ତାହା ଚୂଡ଼ାନ୍ତ ହୋଇନାହିଁ ଏବଂ ଜାଗା ଚିହ୍ନଟ ପ୍ରକ୍ରିୟା ଚାଲିଥିବା ପାଣ୍ଡେ କହିଛନ୍ତି। ସେହିପରି ନୂତନ ରଙ୍ଗମହଲର ନିର୍ମାଣ କାର୍ଯ୍ୟ ଅତିଶୀଘ୍ର ଆରମ୍ଭ ହେବ ବୋଲି ଜିଲାପାଳ ଗୋୟଲ ପ୍ରକାଶ କରିଛନ୍ତି।