ନୂଆଦିଲ୍ଲୀ,୧୮।୭: ଦେଶର ପ୍ରମୁଖ ବ୍ୟାଙ୍କଗୁଡ଼ିକଠାରୁ ଋଣ ନେଇ ଦେଶ ଛାଡ଼ି ଚାଲିଯାଇଥିବା ୩ ପଳାତକ ମେହୁଲ ଚୋକ୍ସି , ବିଜୟ ମାଲ୍ୟା ଓ ନୀରବ ମୋଦିଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ଉଦ୍ୟମ ଜାରି ରହିଛି। ଅପରପକ୍ଷରେ ସେମାନଙ୍କର ଭାରତରେ ଥିବା ସମସ୍ତ ଶେୟାର ଓ ଧନସମ୍ପତ୍ତି ବିକ୍ରି, ନିଲାମ କରାଯାଇ ବିଭିନ୍ନ ବ୍ୟାଙ୍କର ଆର୍ଥିକ କ୍ଷତିର ଭରଣା ପ୍ରକ୍ରିୟା ଜାରି ରହିଛି। ଏହା ମଧ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ସୂଚନା ଦିଆଯାଇଛି ଯେ, ଦେଶର ସବୁଠୁ ବଡ ଋଣଦାତା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ନେତୃତରେ ଏକ ସଂଗଠନ ପଳାତକ ବିଜୟ ମାଲ୍ୟା, ନିରବ ମୋଦୀ ଓ ମେହୁଲ ଚୋକସିଙ୍କ ଶେୟାର ବିକି ସେଥିରୁ ୭୯୧.୧୧ କୋଟି ଟଙ୍କା ଆଦାୟ କରିଛନ୍ତି। ସେହିଭଳି କେନ୍ଦ୍ରୀୟ ଏଜେନ୍ସି ପ୍ରିଭେନସନ ଅଫ ମନି ଲଣ୍ଡ୍ରିଂ ଆକ୍ଟ (ପିଏମଏଲଏ) ଆଧାରରେ ଏହି ସବୁ ସମ୍ପତ୍ତି ଜବତ କରାଯାଇଛି। ଇଡି ଏହି ସବୁ ଅର୍ଥ ବିଭିନ୍ନ ବ୍ୟାଙ୍କକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛଇ। ଇଡିର ସୂଚନା ଅନୁସାରେ ମାଲ୍ୟା, ମୋଦୀ ଓ ଚୋକସିର ସମ୍ପତ୍ତି ବିକ୍ରି କରି ଏ ପର୍ଯ୍ୟନ୍ତ ସଂସ୍ଥା ମୋଟ୍ ୧୩,୧୦୯.୧୭ କୋଟି ଟଙ୍କା ଆଦାୟ କରିଛି। ସେହିପରି ବନ୍ଦ ପଡିଥିବା କିଙ୍ଗଫିସର ଏୟାରଲାଇନ୍ସର ମାଲିକ ବିଜୟ ମାଲ୍ୟାଙ୍କ ଉପରେ ବିଭିନ୍ନ ବ୍ୟାଙ୍କରେ ୯୦୦୦କୋଟି ଟଙ୍କାରୁ ଅଧିକ ଋଣ ରାଶି ବକେୟା ରହିଛି। ଏହା ବ୍ୟତୀତ ନିରବ ମୋଦୀ ଓ ମେହୁଲ ଚୋକସି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ର ଅର୍ଥ ହେରଫେର ଓ ଜାଲିଆତିର ମୁଖ୍ୟ ଅଭିଯୁକ୍ତ ହୋଇ ମଧ୍ୟ ବିଦେଶକୁ ଲୁଚି ପଳାଇଛନ୍ତି। ଉଭୟ ମୋଦୀ ଓ ଚୋକିସ ପିଏନବିରୁ ୧୩ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଅର୍ଥ ରାଶି ଋଣ ଆକାରରେ ନେଇ ଆଉ ସୁଝିବାର ନା ନେଉନଥିବାର ଅଭିଯୋଗ ରହିଛି। ପିଏନବି ମାମଲାରେ ପଳାତକ ଘୋଷିତ ହୋଇଥିବା ନିରବ ମୋଦୀ ମାମଲାରେ ଆର୍ଥିକ ଅପରାଧ ନ୍ୟାୟାଳୟଙ୍କ ଦ୍ୱାରା ବ୍ୟାଙ୍କକୁ ସମ୍ପତ୍ତି ଜବତ କରିବାକୁ ଅନୁମତି ମିଳିଥିଲା। ଏହି ଆଧାରରେ କିଛି ଦିନ ପୂର୍ବେ ଇଡି ଜବତ କରିଥିବା ପ୍ରାୟ ୩,୭୨୮.୬୪ କୋଟି ଟଙ୍କାର ସମ୍ପତ୍ତି ଏସବିଆଇ ନେତୃତାଧୀନ କନ୍ସୋର୍ଟିୟମ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି। ସେହିଭଳି ମାଲ୍ୟା, ନିବର ମୋଦୀ ଓ ମେହୁଲ ଚୋକସି ବିଭିନ୍ନ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କରୁ ନିଜ କମ୍ପାନୀ ମାଧ୍ୟମରେ ଅର୍ଥ ହେରାଫେରି କରି ବିଦେଶ ଫେରାର ହୋଇଯାଇଛନ୍ତି। ଏହି ୩ ପଳାତକଙ୍କ ଦ୍ୱାରା ୨୨,୫୮୫.୮୩ କୋଟି ଟଙ୍କାର ଋଣ ଜାଲିଆଲି ମାମଲା ରହିଛି।