୧୫ କୋଟିର ହିସାବ: ପୁଣି ଇଡ଼ିରେ ହାଜର ହେଲେ ରିଆ

ମୁମ୍ବାଇ, ୧୦।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ରହସ୍ୟର ପର୍ଦ୍ଦାଫାଶ୍‌ ପାଇଁ ଉଦ୍ୟମ ଜାରି ରହିଛି। ଏହା ଅନ୍ତର୍ଗତ ସୁଶାନ୍ତଙ୍କ ଗର୍ଲ ଫ୍ରେଣ୍ଡ୍‌ ରିଆ ଚକ୍ରବର୍ତ୍ତୀ ତାଙ୍କ ଭାଇ ସୌଭିକ୍‌ଙ୍କ ସହିତ ସୋମବାର ପୁଣି ମୁମ୍ବାଇ ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଏହାପୂର୍ବରୁ ତାଙ୍କୁ ଶୁକ୍ରବାର ମଧ୍ୟ ଜେରା କରାଯାଇଥିଲା। ସୁଶାନ୍ତଙ୍କ ପାଖରେ ଥିବା ୧୫ କୋଟି ଟଙ୍କାର ହିସାବ ଜାଣିବା ପାଇଁ ଇଡି ପକ୍ଷରୁ ଏହା କରାଯାଉଛି। ରିଆ ତଦନ୍ତରେ ସହଯୋଗ କରୁ ନ ଥିବା ଅଭିଯୋଗ ମଧ୍ୟ ହେଉଛି। ଲଗାତାର ରିଆଙ୍କ ବାର୍ଷିକ ଆୟ ବଢୁଥିବା ନେଇ ଇଡ଼ି ପକ୍ଷରୁ ପଚରାଉଚରା ମଧ୍ୟ ଜାରି ରହିଛି। ଗତ କିଛି ବର୍ଷ ମଧ୍ୟରେ ରିଆଙ୍କ ବାର୍ଷିକ ଆୟ ୧୪ ଲକ୍ଷ ଟଙ୍କାରେ ପହଞ୍ଚିଥିବା ଇଡି ସୂତ୍ରରୁ ଜଣାପଡ଼ିଛି। ସୁଶାନ୍ତଙ୍କ ସାଙ୍ଗ ସନ୍ଦୀପ୍‌ଙ୍କୁ ସମନ ଜାରି କରାଯିବ ବୋଲି କୁହାଯାଉଛି। ସୁଶାନ୍ତଙ୍କ କାଳସର୍ପ ଦୋଷ ଖଣ୍ଡନ ପାଇଁ କରାଯାଇଥିବା ଏକ ପୂଜାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ପୂଜାରେ ସୁଶାନ୍ତଙ୍କ ସହିତ ତାଙ୍କ ଭଉଣୀ ଏବଂ ଭିଣୋଇ ବସିଥିବା ଏହି ୨ ମିନିଟ୍‌ ୩ ସେକେଣ୍ଡ ଭିଡ଼ିଓରେ ଦେଖିବାକୁ ମିଳୁଛି। ପୂଜା ୨୦୧୯ ଏପ୍ରିଲ୍‌ ୯ରେ ହୋଇଥିବା କୁହାଯାଉଛି। ମହାରାଷ୍ଟ୍ରରୁ ଆସିଥିବା ପଣ୍ଡିତ ପୂଜା କରିଥିବା କୁହାଯାଉଛି। ଭିଡ଼ିଓରେ ରିଆଙ୍କୁ ଦେଖିବାକୁ ମିଳୁନି।

Share