ବଡ଼ବିଲ, ୨୮।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ପୌରକାର୍ଯ୍ୟାଳୟର ବ୍ୟାଙ୍କ ଖାତାରୁ ୨.୪୫ କୋଟି ଟଙ୍କା ଗାଏବ ଘଟଣାରେ ଇଓଡବ୍ଲ୍ୟୁ (ଇକୋନୋମିକ ଅଫେନ୍ସ ୱିଙ୍ଗ) ରବିବାର ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ବଡବିଲ ଜେଏମଏଫସି କୋର୍ଟରେ ହାଜର କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଛତିଶଗଡ ରାଜ୍ୟ ରାୟପୁର ଜିଲା ମୁଜଗାହାନ ଥାନା ଅନ୍ତର୍ଗତ ପ୍ରଗତି କଲେଜ ନିକଟ ଛତିଶଗଡ ହାଉସିଂ ବୋର୍ଡ କଲୋନିର ଏଲଆଇଜି-୧୬୯ରେ ସୈଦ ଶାହବାଜ ନାକ୍ଭି । ପରେ ତାଙ୍କୁ ବଡ଼ବିଲ୍ ସବ୍ଜେଲ୍କୁ ପଠାଇ ଦିଆଯାଇଛି।
ସୁଚନା ଅନୁଯାୟୀ, ବଡବିଲ ପୌରକାର୍ଯ୍ୟାଳୟର ବ୍ୟାଙ୍କ ଖାତାରୁ ୪ଟି ନକଲି ଚେକ୍ ବ୍ୟବହାର କରି ୨.୪୫ କୋଟି ଟଙ୍କା ହେବା ଘଟଣାର ତଦନ୍ତକୁ ଜୋରଦାର କରିଛି ଭୂବନେଶ୍ୱରସ୍ଥିତ ରାଜ୍ୟ ପୋଲିସ ବିଭାଗର ଇଓଡବ୍ଲ୍ୟୁ ପୋଲିସ। ଏହି କାରବାରରେ ସମ୍ପୃକ୍ତ ସୁଭାଷ ଘିସିଙ୍ଗ ଗିରି ନାମକ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରି ଶନିବାର ବଡ଼ବିଲ ଜେଏମଏଫସି କୋର୍ଟରେ ହାଜର କରାଇଥିଲାବେଳେ ରବିବାର ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତେବେ ଏହି ଘଟଣାରେ ବ୍ୟାଙ୍କ କର୍ମଚାରୀ ଓ ପୌର କର୍ମଚାରୀଙ୍କ ସଂପୃକ୍ତି ନେଇ ଇଓଡବ୍ଲ୍ୟୁ ସନ୍ଦେହଘେରକୁ ନେଇ ତଦନ୍ତ ଜାରୀ ରଖିଛି। ତେବେ ପୌର ବ୍ୟାଙ୍କ ଆକାଉଣ୍ଟରୁ ୪ଟି ବିଭିନ୍ନ ଆକାଉଣ୍ଟକୁ ଯାଇଥିବା ମୋଟ ୨.୪୫ କୋଟି ଟଙ୍କାରୁ ପ୍ରାୟ ୧କୋଟି ୧୫ ଲକ୍ଷ ଟଙ୍କାକୁ ଫ୍ରିଜ୍ କରି ରଖାଯାଇଥିବା ସୂଚନା ମିଳିଛି। ହେଲେ ଏ ଯାଏଁ ପୌର ବ୍ୟାଙ୍କ ଆକାଉଣ୍ଟକୁ କୌଣସି ଟଙ୍କା ଫେରିପାରି ନ ଥିବା ବଡବିଲ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା କହିଛନ୍ତି।