Categories: ଜାତୀୟ

ଚକୋଲେଟ୍‌, ଫୁଲ ନେଇ ଅଡୁଆରେ ଜ୍ୟାକଲିନ୍‌

ମୁମ୍ବାଇ: ବଲିଉଡ୍‌ ଆକ୍ଟ୍ରେସ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ଜଣେ ଠକ ଜେଲରେ ବସି ନିୟମିତ ଫୁଲ ଓ ଚକୋଲେଟ୍‌ ପଠାଉଥିଲେ। ପରିଚୟ ଗୋପନ ରଖି ଯୋଗାଯୋଗ ପାଇଁ ବ୍ୟବହାର କରୁଥିଲେ ଗୁପ୍ତଚର ଟେକନୋଲୋଜି। ଉକ୍ତ ଅଭିଯୁକ୍ତ ୨୦୦ କୋଟି ଟଙ୍କାର ବେଆଇନ ହେରଫେର ର଼୍ୟାକେଟ ଚଳାଇଥିଲେ। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀମାନେ ଜ୍ୟାକଲିନଙ୍କୁ ୫ ଘଣ୍ଟା ଧରି ପଚରାଉଚୁରା କରିଛନ୍ତି। ବେଆଇନ ଟଙ୍କା ହେରଫର ର଼୍ୟାକେଟକୁ ସୁକେଶ ଚନ୍ଦ୍ରଶେଖର ନାମକ ଜଣେ ଅଭିଯୁକ୍ତ ରୋହିନି ଜେଲରୁ ପରିଚାଳନା କରୁଥିଲେ।

କିଛି ରିପୋର୍ଟ ମୁତାବକ, ଚନ୍ଦ୍ରଶେଖରଙ୍କ ଜାଲରେ ପଡ଼ି ଯାଇଥିଲେ ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ। ନିଜର ଅମାପ ଧନ ଦେଖାଇ ସୁକେଶ ବଲିଉଡ୍‌ରେ ଏଣ୍ଟ୍ରି କରିଥିବା ତଦନ୍ତରୁ ଜଣାପଡ଼ିଥିଲା। ଏପରି କି ସେ ବଲିଉଡ୍‌ର ଅନେକ ସେଲିବ୍ରିଟିଙ୍କ ସହ ଯୋଗାଯୋଗରେ ଥିଲେ।

ଆଇପି ଆଡ୍ରେସ ଚିହ୍ନଟ କରିବା ପରେ ଚନ୍ଦ୍ରଶେଖରଙ୍କ ଫୋନ କଲକୁ ଟ୍ରାକ କରିଥିଲେ ଇଡି ଅଧିକାରୀ। ଏଥିରୁ ଚନ୍ଦ୍ରଶେଖର ଜେଲରେ ରହି ବ୍ୟବହାର କରୁଥିବା ଦୁଇଟି ନମ୍ବର ତାଙ୍କ ନାମରେ ନ ଥିବା ଜଣାପଡ଼ିଥିଲା। ଏହି ର଼୍ୟାକେଟକୁ ଧରିବା ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ଲାଗିଥିଲା ଅଢ଼େଇ ମାସ। ଗତ ୩୦ ତାରିଖରେ ଜ୍ୟାକଲିନଙ୍କୁ ପଚରାଉଚୁରା କରାଯିବା ପରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିବା ଜଣେ ଅଧିକାରୀ କହିଛନ୍ତି।

Share