Categories: ଜାତୀୟ

ଚାଷୀଙ୍କ ଖାତାକୁ ଗଲା ୨୦,୯୦୦ କୋଟି

ନୂଆଦିଲ୍ଲୀ, ୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆବର୍ଷର ପ୍ରଥମ ଦିନରେ ଦେଶର ୧୦.୦୯ କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ପିଏମ୍‌-କିଷାନ ଯୋଜନାରେ ୨୦,୯୦୦ କୋଟି ଟଙ୍କା ଆର୍ଥତ୍କ ସହାୟତା ପଠାଇଛନ୍ତି। ଭିଡିଓ କନ୍‌ଫରେନ୍ସ ଜରିଆରେ ମୋଦି ହିତାଧିକାରୀ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦଶମ କିସ୍ତି ଟଙ୍କା ପଠାଇବା ଅବସରରେ କୋଭିଡ୍‌-୧୯ ମହାମାରୀ ଦ୍ୱାରା ସୃଷ୍ଟ ଚ୍ୟାଲେଞ୍ଜ ନୂଆବର୍ଷରେ ଦେଶର ବିକାଶ ପ୍ରକ୍ରିୟାରେ ବାଧକ ହେବାକୁ ଦିଆଯିବ ନାହିଁ ବୋଲି କହିଥିଲେ। ଦେଶ ସମ୍ପୂର୍ଣ୍ଣ ସତର୍କତାର ସହ ମହାମାରୀ ବିରୋଧରେ ଲଢ଼େଇ ଜାରି ରଖିଛି। ଏଥିସହିତ ଜାତୀୟ ସ୍ବାର୍ଥ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ମହାମାରୀ ସତ୍ତ୍ୱେ ସ୍ବାସ୍ଥ୍ୟସେବା, ପ୍ରତିରକ୍ଷା, କୃଷି, ଷ୍ଟାର୍ଟ-ଅପ୍‌ ଏବଂ ଭିତ୍ତିଭୂମି ସେକ୍ଟରରେ ଉଲ୍ଲେଖନୀୟ ସଫଳତା ହାସଲ ହୋଇପାରିଛି। ମହାମାରୀ ବିରୋଧରେ ଭାରତର ବଳିଷ୍ଠ ମୁକାବିଲା ସବୁଦିନ ପାଇଁ ମନେ ରହିବ ବୋଲି ମୋଦି କହିଥିଲେ। ବର୍ତ୍ତମାନ ସୁଦ୍ଧା ୧୪୫ କୋଟିରୁ ଅଧିକ କୋଭିଡ୍‌ ଟିକା ଡୋଜ୍‌ ଦିଆଯାଇଥିବାରୁ ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ବିଗତ ବର୍ଷରେ ବିଭିନ୍ନ ସେକ୍ଟରରେ ସଂସ୍କାର ପ୍ରକ୍ରିୟା ତ୍ୱରାନ୍ବିତ ହୋଇଛି ଓ ଆଧୁନିକ ଭିତ୍ତିଭୂମି ସୃଷ୍ଟି ହୋଇଛି। ବିକାଶକୁ ଆହୁରି ଦ୍ରୁତତର କରାଯିବ। କରୋନା ଚ୍ୟାଲେଞ୍ଜ ସୃଷ୍ଟି କରିଥିଲେ ମଧ୍ୟ ଏହା ବିକାଶ ପ୍ରକ୍ରିୟାକୁ ରୋକିପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‌-କିଷାନ) ଯୋଜନାରେ ହିତାଧିକାରୀ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବର୍ଷକୁ ୩ଟି କିସ୍ତିରେ ୬ ହଜାର ଟଙ୍କା ଆର୍ଥତ୍କ ସହାୟତା ଯୋଗାଇ ଦିଆଯାଉଛି। ଏଥିସହିତ ପ୍ରଧାନମନ୍ତ୍ରୀ ୩୫୧ କୃଷି ଉତ୍ପାଦନ ସଂଗଠନ (ଏଫ୍‌ପିଓ)କୁ ୧୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଇକ୍ୟୁଟି ପ୍ରଦାନ କରିଛନ୍ତି। ଏହା ଦ୍ୱାରା ୧.୨୪ ଲକ୍ଷ ଚାଷୀ ଉପକୃତ ହେବେ। ପ୍ରଧାନମନ୍ତ୍ରୀଙ୍କ ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ୯ ମୁଖ୍ୟମନ୍ତ୍ରୀ ଓ ଅନେକ ମନ୍ତ୍ରୀ ଓ କୃଷି ଅନୁଷ୍ଠାନର ପ୍ରତିନିଧିମାନେ ଯୋଗ ଦେଇଥିଲେ।

 

 

Share