୨୨ କୋଟିର ଟୁଇଟ୍‌ ୨୧ ହଜାର ଟଙ୍କା

ଓ୍ବାଶିଂଟନ୍‌, ୧୫ା୪:ଟୁଇଟର ପ୍ରତିଷ୍ଠାତା ଜ୍ୟାକ୍‌ ଡୋର୍ସିଙ୍କ ପ୍ରଥମ ଟୁଇଟ୍‌ର ଏନ୍‌ଏଫ୍‌ଟିକୁ କିଣିଥିବା ବ୍ୟକ୍ତିଙ୍କୁ ବଡ଼ ଝଟକା ଲାଗିଛି। ୨୦୦୬ ମେ ୨୧ରେ ଡୋର୍ସି କରିଥିବା ଟୁଇଟ୍‌କୁ ଉଦ୍ୟୋଗୀ ସାଇନା ଏଷ୍ଟାଭି ୨.୯ ମିଲିୟନ ଡଲାର (ପ୍ରାୟ ୨୨ କୋଟି ଟଙ୍କା)ରେ କିଣିଥିବାବେଳେ ନିଲାମ ବେଳେ ତାହା ସର୍ବାଧିକ ୨୮୦ ଡଲାର (୨୧,୩୩୪ ଟଙ୍କା) ପର୍ଯ୍ୟନ୍ତ ଯାଇଛି। ଏଷ୍ଟାଭି ଗତ ସପ୍ତାହରେ ଏହି ଟୁଇଟ୍‌କୁ ୪୮ ମିଲିୟନ ଡଲାର (୩୬୫,୭୩,୧୪,୪୦୦ ଟଙ୍କା)ରେ ବିକ୍ରି କରିବା ପାଇଁ ନିଲାମ ଡାକିଥିଲେ। ନିଲାମ ଅର୍ଥର ଅଧାଭାଗ ସେ ଦାତବ୍ୟ ସଂସ୍ଥାକୁ ଦାନ କରିବେ ବୋଲି ଘୋଷଣା କରିଥିଲେ। ମ୍ୟାଲେସିଆର ଦୁଇ କ୍ରିପ୍ଟୋକରେନ୍ସି କମ୍ପାନୀର ମାଲିକ ହେଉଛନ୍ତି ସାଇନା ଏଷ୍ଟାଭି। ଅର୍ଥ ବ୍ୟବସ୍ଥାରେ ବିଶୃଙ୍ଖଳା ସୃଷ୍ଟି ଅଭିଯୋଗରେ ଗତ ବର୍ଷ ମେ’ରେ ତାଙ୍କୁ ଇରାନରେ ଗିରଫ କରାଯାଇଥିଲା। ୯ ମାସ ଜେଲରେ ରହିବା ପରେ ସେ ମୁକୁଳିଥିଲେ। ତାଙ୍କ କ୍ରିପ୍ଟୋ କମ୍ପାନୀ ‘କ୍ରିପ୍ଟୋଲ୍ୟାଣ୍ଡ’ ଇରାନର ସବୁଠାରୁ ବଡ଼ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ ହୋଇଥିବାବେଳେ ଏଷ୍ଟାଭିଙ୍କ ଗିରଫଦାରି ପରେ ତାହା ବନ୍ଦ ହୋଇଯାଇଥିଲା।
ନନ୍‌ ଫଞ୍ଜିବୁଲ ଟୋକେନ (ଏନ୍‌ଏଫ୍‌ଟି) ଏକ ପ୍ରକାର ଡିଜିଟାଲ ଆସେଟ୍‌। ଏନ୍‌ଏଫ୍‌ଟିର ମାଲିକାନା ବ୍ଲକ୍‌ଚେନ୍‌ରେ ଏନ୍‌କୋଡ୍‌ କରାଯାଇଥାଏ। ଫଟୋ, ଭିଡିଓ, ଟୁଇଟ୍‌, ଚିତ୍ର ଭଳି କୌଣସି ଅସାଧାରଣ ଜିନିଷକୁ ଜଣେ ଏନ୍‌ଏଫ୍‌ଟିରେ ପରିବର୍ତ୍ତନ କରି ଏହି ଡିଜିଟାଲ ସମ୍ପତ୍ତି ଉପରେ ନିୟନ୍ତ୍ରଣ ରଖିପାରିବେ।

Share