Categories: ଜାତୀୟ

୨୫୧ ଟଙ୍କିଆ ଫୋନ୍‌ କମ୍ପାନୀ ମାଲିକ ଗିରଫ

ନୋଏଡା, ୧୩ା୧: ମାତ୍ର ୨୫୧ ଟଙ୍କାରେ ସ୍ମାର୍ଟଫୋନ୍‌ ବିକ୍ରି କରିବାକୁ କହି ଚର୍ଚ୍ଚାକୁ ଆସିଥିବା ମୋହିତ ଗୋଏଲଙ୍କୁ ପୋଲିସ ରବିବାର ଗିରଫ କରିଛି। ତାଙ୍କ ନାମରେ ୨ ଶହ କୋଟି ଟଙ୍କାର ଡ୍ରାଏ ଫ୍ରୁଟ୍‌ ଜାଲିଆତି ଅଭିଯୋଗ ରହିଛି। ସ୍ତ୍ରୀଙ୍କ ସହ ମିଶି ମୋହିତ ରିଙ୍ଗିଙ୍ଗ୍‌ ବେଲ୍‌ ନାମରେ ଏକ କମ୍ପାନୀ ଖୋଲି ‘ଫ୍ରିଡମ୍‌ ୨୫୧’ ମୋବାଇଲ ବିକ୍ରି କରିବେ ବୋଲି ଘୋଷଣା କରିଥିଲେ। କମ୍ପାନୀ ପାଇଁ ମୋହିତ ସହଯୋଗୀଙ୍କ ସହ ଏକ ଘର ଭଡ଼ା ନେବା ସହ ଏ ବାବଦରେ ମାସିକ ୩ ଲକ୍ଷ ଟଙ୍କା ଦେଉଥିଲେ। ଏଥିସହ ଅନ୍ୟ ୫ ଜଣଙ୍କ ସହ ଦୁବାଇ ଡ୍ରାଏ ଫ୍ରୁଟ୍ସ ଆଣ୍ଡ ସ୍ପାଇସେସ୍‌ ହବ୍‌ ମଧ୍ୟ ଖୋଲିଥିଲେ। ଏହି ହବ୍‌ ମାଧ୍ୟମରେ ସେ ଡ୍ରାଏ ଫ୍ରୁଟ୍‌ ବ୍ୟବସାୟୀଙ୍କୁ ଠକେଇ କରିଛନ୍ତି। ସେକ୍ଟର ୫୧ ସ୍ଥିତ ମେଘଦୂତମ୍‌ ପାର୍କ ନିକଟରୁ ତାଙ୍କୁ ଗିରଫ କରାଯାଇଛି। ତାଙ୍କଠାରୁ ଏକ ଅଡି କାର୍‌, ୬୦ କେଜିର ଡ୍ରାଏ ଫ୍ରୁଟ୍‌ସ ଏବଂ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ମୋହିତଙ୍କ ନାମରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ୪୦ ଅଭିଯୋଗ ରହିଥିବା ପୋଲିସ କହିଛି।

Share