ଖୋର୍ଦ୍ଧା ଅଫିସ,୧୦।୧୧: ବାଲିପାଟଣା ବନାଞ୍ଚଳର ଧାନହରା ଏବଂ ଡେଙ୍ଗ କରତକଳ ଉପରେ ମଙ୍ଗଳବାର ସକାଳୁ ଖୋର୍ଦ୍ଧା ବନଖଣ୍ଡ ଏବଂ ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ଯନ୍ତ୍ରାଂଶ, କାଠ ଏବଂ ୨ ଟ୍ରାକ୍ଟର ଜବତ କରିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଭିଜିଲାନ୍ସ ପକ୍ଷରୁ
ସୂଚନା ମିଳିଛି।
ପ୍ରକାଶ ଯେ, ଦୀର୍ଘ ଦିନ ହେବ ଏହି ଅଞ୍ଚଳରେ କରତ କଳ ଚାଲି ଆସୁଥିଲା। ବିଶେଷ ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଟିମ୍ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀଙ୍କ ସହଯୋଗରେ ଚଢ଼ାଉ କରିଥିଲେ। ଭୁବନେଶ୍ୱର ଭିଜିଲାନ୍ସ ଡିଏସ୍ପି ଏ.କେ ମିଶ୍ରଙ୍କ ନେତୃତ୍ତ୍ୱରେ ଭିଜିଲାନ୍ସ ଟିମ୍ ସମେତ ବାଲିପାଟଣା ବନାଞ୍ଚଳ ଅଧିକାରୀ ଜୟକୃଷ୍ଣ ଯଦୁମଣି ଦାସ, ଖୋର୍ଦ୍ଧା ବନାଞ୍ଚଳ ଅଧିକାରୀ ଅସିତ୍ ମିଶ୍ର, ରଣପୁର ବନାଞ୍ଚଳ ଅଧିକାରୀ ଶରତ ଚନ୍ଦ୍ର ଶତପଥୀ, ଡେଲାଙ୍ଗ ବନାଞ୍ଚଳ ଅଧିକାରୀ ନିରଞ୍ଜନ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ। ଏ ନେଇ ଭିଜିଲାନ୍ସ ପକ୍ଷରୁ ପୃଥକ ଭାବେ ୬ଟି ମାମଲା ରୁଜୁ କରାଯାଇ ତଦନ୍ତ ଜାରିରହିଛି ।
ଜବତ କାଠ, ଯନ୍ତ୍ରାଂଶ, ଟ୍ରାକ୍ଟରର କେହି ଦାବିଦାର ନ ଥିବାରୁ ବାଲିପାଟଣା ବନ ଅଧିକାରୀଙ୍କ ଜରିଆରେ ଖୋର୍ଦ୍ଧା ଡିଏଫ୍ଓଙ୍କୁ ହସ୍ତାନ୍ତର କରାଯିବା ସହ କାର୍ଯ୍ୟାନୁଷ୍ଠାନ ଲାଗି ପରାମର୍ଶ ଦିଆଯାଇଥିବା ଡିଏସ୍ପି ମିଶ୍ର କହିଛନ୍ତି।
Posted inଅପରାଧ, ଆମ ଜିଲା ଖବର, ଖୋର୍ଦ୍ଧା, ରାଜ୍ୟ