ଦେବଗଡ଼ର ପ୍ରତି ପରିବାରକୁ ମିଳିଛି ୩ ଲକ୍ଷ ଟଙ୍କା: ଧର୍ମେନ୍ଦ୍ର

ଭୁବନେଶ୍ୱର,୧୧।୬(ବ୍ୟୁରୋ): ମୋଦି ସରକାରଙ୍କ ୯ ବର୍ଷ ଶାସନରେ ଦେବଗଡ଼ ଜିଲାକୁ ଚାଉଳ, ଘର, ଶୌଚାଳୟ, ଉଜ୍ଜ୍ୱଳା ଗ୍ୟାସ, ମୁଦ୍ରା ଋଣ, ବାର୍ଦ୍ଧକ୍ୟ ଭତ୍ତା, ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ଏବଂ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ୭୩ ହଜାର ୭୧୭ ପରିବାରକୁ ସର୍ବମୋଟ ୨,୧୮୪ କୋଟି ଟଙ୍କା ମିଳିଛି । ଗରିବ କଲ୍ୟାଣ ଯୋଜନାରେ ଦେବଗଡ଼ ଜିଲାର ପରିବାର ପିଛା ପାଖାପାଖି ୩ ଲକ୍ଷ ଟଙ୍କା ମୋଦି ସରକାର ଦେଇଛନ୍ତି । ଶନିବାର ବଡ଼ବଗିଚା ପଡ଼ିଆରେ ଅନୁଷ୍ଠିତ ‘ଗରିବ କଲ୍ୟାଣ ସମାବେଶ’ରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର କହିଛନ୍ତି, ବିଗତ ୯ ବର୍ଷରେ ଓଡ଼ିଶାକୁ ପୂର୍ବୋଦୟ ଯୋଜନା ମାଧ୍ୟମରେ ଗରିବ କଲ୍ୟାଣର ପ୍ରୟୋଗଶାଳା ଭାବେ ଦାୟିତ୍ୱ ନେଇଛନ୍ତି । ମୋଦି ସରକାରରେ ଦେବଗଡ଼ ଜିଲା ବେଶ୍‌ ଲାଭାନ୍ବିତ ହୋଇଛି । ଚାଷୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଧାନର ଏମ୍‌ଏସ୍‌ପି କୁଇଣ୍ଟାଲ ପିଛା ୨୧୮୩ ଟଙ୍କାକୁ ବୃଦ୍ଧି କରାଯାଇଛି। ୨୦୧୪-୧୫ରେ ଧାନର ଏମ୍‌ଏସ୍‌ପି କୁଇଣ୍ଟାଲ ପିଛା ୧୩୬୦ ଟଙ୍କା ଥିବାବେଳେ ମୋଦି ସରକାରରେ ୨ ଗୁଣା ଏମ୍‌ଏସ୍‌ପି ବୃଦ୍ଧି ପାଇଛି। ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦେବଗଡ଼ର ୨.୬୩ ଲକ୍ଷ ହିତାଧିକାରୀଙ୍କୁ ୫୬୮ କୋଟି ଟଙ୍କା ମୂଲ୍ୟର ଚାଉଳ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳ ଓ ସହର ପାଇଁ ମୋଟ ୨୨୩ କୋଟି ଟଙ୍କାର ପ୍ରାୟ ୧୭ ହଜାର ଘର ପ୍ରଦାନ କରାଯାଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

Share