Categories: ଜାତୀୟ

୩୪,୬୧୫ କୋଟିର ବ୍ୟାଙ୍କ ଠକେଇ

ନୂଆଦିଲ୍ଲୀ,୨୩ା୬: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦେ ଓ୍ବାନ ହାଉସିଂ ଫାଇନାନ୍ସ ଲିଃ (ଡିଏଚ୍‌ଏଫ୍‌ଏଲ୍‌)ର ପୂର୍ବତନ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ (ସିଏମ୍‌ଡି) କପିଳ ଓ୍ବାଧଓ୍ବନ, ନିର୍ଦ୍ଦେଶକ ଧୀରଜ ଓ୍ବାଧଓ୍ବନ ଓ ଅନ୍ୟମାନଙ୍କ ବିରୋଧରେ ୩୪,୬୧୫ କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲା ରୁଜୁ କରିଛି। ଏହାକୁ ସିବିଆଇ ତଦନ୍ତାଧୀନ ଭାରତର ସବୁଠୁ ବଡ଼ ବ୍ୟାଙ୍କ ଠକେଇ ବୋଲି କୁହାଯାଉଛି।

୧୭ ଋଣ ପ୍ରଦାନକାରୀ ବ୍ୟାଙ୍କ ଗୋଷ୍ଠୀର ନେତୃତ୍ୱ ନେଉଥିବା ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ) ପକ୍ଷରୁ ୨୦୧୦ରୁ ୨୦୧୮ ମଧ୍ୟରେ ୪୨,୮୭୧ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା। କପିଳ ଓ ଧୀରଜ ଓ୍ବାଧଓ୍ବନ ଉକ୍ତ ଋଣ ଅର୍ଥକୁ ଆମତ୍ସାତ୍‌ କରିଥିବା ବ୍ୟାଙ୍କ ଅଭିଯୋଗ ଆଣିଛି। ଅଭିଯୁକ୍ତମାନେ ଅର୍ଥ ହେରଫେର କରି ବିଶ୍ୱାସ ଭଙ୍ଗ କରିଛନ୍ତି। ୨୦୧୯ ମେ’ ପରଠାରୁ ସେମାନେ ଋଣ ସୁଝି ନ ଥିବାରୁ ମୋଟ ୩୪,୬୧୫ କୋଟି ଟଙ୍କା ଖିଲାପି କରିଥିବା ଏଥିରେ ଦର୍ଶାଯାଇଛି। ଏହି ବ୍ୟାଙ୍କ ଠକେଇ ନେଇ ଦାଏର ଏଫ୍‌ଆଇଆର୍‌ରେ ଅମାରିଲିସ୍‌ ରିଟେଲର୍ସର ସୁଧାକର ସେଟ୍ଟିଙ୍କ ସହ ଅନ୍ୟ ୮ ଜଣଙ୍କ ନାମ ରହିଛି।

ଜୁନ୍‌ ୨୦ରେ ମାମଲା ରୁଜୁ ହେବା ପରେ ୫୦ରୁ ଊର୍ଦ୍ଧ୍ୱ ଅଧିକାରୀଙ୍କୁ ନେଇ ସିବିଆଇର ଏକ ଟିମ୍‌ ବୁଧବାର ଅଭିଯୁକ୍ତମାନଙ୍କ ସହ ଜଡ଼ିତ ମୁମ୍ବାଇର ୧୨ ସ୍ଥାନରେ ଚଢ଼ାଉ କରିଥିଲା। ଡିଏଚ୍‌ଏଫ୍‌ଏଲ୍‌ ଆକାଉଣ୍ଟ ବୁକ୍ସରୁ ଜଣାପଡ଼ିଛି ଯେ, ଉକ୍ତ କମ୍ପାନୀ ବେଆଇନ ଭାବେ ଆର୍ଥିକ ଅନିୟମିତତା କରି ପାଣ୍ଠିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହ କପିଳ ଓ ଧୀରଜଙ୍କୁ ଜମାକାରୀଙ୍କ ଅର୍ଥରେ ନିଜ ସମ୍ପତ୍ତି ବୃଦ୍ଧି ପାଇଁ ସୁଯୋଗ ଦେଇଥିଲା। ଉଭୟେ ପୂର୍ବରୁ ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି। ସିବିଆଇ ମାମଲା ରୁଜୁ କରିବା ପରେ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଡିଏଚ୍‌ଏଫ୍‌ଏଲ୍‌ ଋଣ ଆକାଉଣ୍ଟଗୁଡ଼ିକୁ ନନ୍‌-ପଫର୍ମିଂ ଆସେଟ୍ସ (ଏନ୍‌ପିଏ) ଘୋଷଣା କରାଯାଇଛି।

Share