ଖଲ୍ଲିକୋଟ,୨୪ା୫(ପ୍ରଶାନ୍ତ କୁମାର ମିଶ୍ର): ଏକ ଫାଇନାନ୍ସ କମ୍ପାନୀର ୪ଲକ୍ଷ ୨୯ ହଜାର ଟଙ୍କା ଠକେଇ କରି ସାଙ୍ଗଙ୍କ ସହ ଫାଇନାନ୍ସ କର୍ମଚାରୀ ଶୁକ୍ରବାର ଗିରଫ ହୋଇଛନ୍ତି। ସେମାନେ ହେଲେ ଫାଇନାନ୍ସ କର୍ମଚାରୀ ଖୋର୍ଦ୍ଧା ଜିଲା ଶଗଡ଼ଭଙ୍ଗା ନନ୍ଦପୁର ପାଟଣାର ପ୍ରତାପ କୁମାର ଦତ୍ତ ଓ ତାଙ୍କ ସାଙ୍ଗ ନୟାଗଡ଼ ଜିଲା ଓଡଗାଁ ଥାନା କ୍ରୁମ ବାଙ୍କାତାରା ଗ୍ରାମର ହୃଦାନନ୍ଦ ସାହୁ। ଉଭୟେ ସବୁ ଟଙ୍କାରେ ଅନଲାଇନ ଗେମ୍ ଖେଳିଥିବା ଜଣାପଡ଼ିଛି।
ଭେଜିପୁଟ କାଳିଜାଈ ଷ୍ଟେଶନ ରୋଡ଼ରେ ଥିବା ଏକ କମ୍ପାନୀରୁ ଟଙ୍କା ଠକେଇ ହୋଇଥିବା ନେଇ ଏରିଆ ମ୍ୟାନେଜର ସୁଶାନ୍ତ କୁମାର ସାହୁ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ. ୪୨୫/୨୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଖଲ୍ଲିକୋଟ ଥାନା ଅଧିକାରୀ ନରେଶ କୁମାର ସାହୁଙ୍କ ନେତୃତ୍ୱରେ ପୋଲିସର ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରାଯାଇଥିଲା। ଠକେଇରେ ଫାଇନାନ୍ସ କର୍ମଚାରୀ ପ୍ରତାପ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ତାଙ୍କୁ ପୁରୀରୁ ଗିରଫ କରାଯାଇଥିଲା। ପ୍ରତାପଙ୍କୁ ପଚରାଉଚରା କରିବା ପରେ ତାଙ୍କ ସାଙ୍ଗ ହୃଦାନନ୍ଦଙ୍କୁ ନୟାଗଡ଼ରୁ ଗିରଫ କରାଯାଇଛି।