Categories: ଅନୁଗୋଳ

ଆକାଉଣ୍ଟରୁ ୯୨ ହଜାର ଟଙ୍କା ଗାଏବ

ଅନୁଗୋଳ ଅଫିସ,୫।୬- ଅନୁଗୋଳ ଜିଲାରେ ସାଇବର ଠକେଇ ବଢ଼ିବାରେ ଲାଗିଛି। ଜଣଙ୍କ ପରେ ଜଣେ ବ୍ୟକ୍ତି ଠକେଇର ଶିକାର ହେଉଥିଲେ ମଧ୍ୟ ସଚେତନତା ଅଭାବରୁ ଏହି ଘଟଣା ବୃଦ୍ଧି ପାଉଛି। ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ କେଉଁଠି ଉପଲବ୍ଧ ହେଉଛି ଓ ଏହା କିଭଳି ଆସି ନିକଟରେ ପହଞ୍ଚିବ, ଇଣ୍ଟରନେଟରେ ଏହା ସର୍ଚ୍ଚ କରୁଥିବା ବେଳେ ଶନିବାର ସାଇବର ଠକଙ୍କ ହାବୁଡ଼ରେ ପଡ଼ି ଜଣେ ଯୁବକ ୯୨ ହଜାର ଟଙ୍କା ଠକେଇର ଶିକାର ହୋଇଛନ୍ତି। ଅନୁଗୋଳ ଜିଲା ତାଳଚେର ଏକାଦଶୀପୁର ଗ୍ରାମର ଜଣେ ଯୁବକ ଏହି ସାଇବର ଠକଙ୍କ ଜାଲରେ ପଡ଼ିଥିବା ଚର୍ଚ୍ଚାର ବିଷୟ ହୋଇଛି। ଠକଙ୍କ ନିର୍ଦ୍ଦେଶ ଅନୁଯାୟୀ ଯୁବକ ଜଣକ ମୋବାଇଲକୁ ଆସୁଥିବା ଓଟିପି ଦେଇଦେଇଥିଲେ। ଏହାପରେ ୪ ଥରରେ ତାଙ୍କ ଆକାଉଣ୍ଟରୁ ୯୨ ହଜାର ଟଙ୍କା ଗାଏବ ହୋଇଯାଇଥିବା ଯୁବକ ଜଣଙ୍କ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରୁଥିବା ସୂଚନା ପ୍ରଦାନ କରିଛି।