ଖୋର୍ଦ୍ଧା ଅଫିସ,୨୩।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ନିର୍ବାଚନ ସମୟରେ ବେଆଇନ ମଦ ଓ ନିଶା କାରବାର ଉପରେ କାର୍ଯ୍ୟାନୁଷ୍ଠାନ ଲାଗି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶନାମା ରହିଛି। ଏହି ପ୍ରରିପେକ୍ଷୀରେ ଖୋର୍ଦ୍ଧା ଅବକାରୀ ପୋଲିସ ମଙ୍ଗଳବାର ବାଘମାରୀ ଥାନା ଅନ୍ତର୍ଗତ ପୋଡ଼ାଡ଼ିହ ଗ୍ରାମରେ ଚଢ଼ାଉ କରି ୫୨ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଏହି ଗ୍ରାମର ପ୍ରଭାତ ସେଠୀ(୩୨)। ଜବତ ବ୍ରାଉନସୁଗାରର ମୂଲ୍ୟ ୫ଲକ୍ଷ ୨୦ହଜାର ଟଙ୍କା ହେବ ବୋଲି ଅବକାରୀ ପକ୍ଷରୁ କୁହାଯାଇଛି। ଏନେଇ ଅବକାରୀ ଥାନାରେ ଏନଡିପିଏସ୍ ଆକ୍ଟ-୨୧ ପ୍ରକାରେ ଏକ ମାମଲା(ନଂ.୬୦/୨୨) ରୁଜୁ ହୋଇଛି। ସୂଚନା ମୁତାବକ, ପୋଡ଼ାଡ଼ିହ ଅଞ୍ଚଳରେ ପ୍ରଭାତ ଦୀର୍ଘଦିନ ହେବ ବ୍ରାଉନସୁଗାର ବିକ୍ରି କରି ଆସୁଥିଲେ। କୌଣସି ସୂତ୍ରରୁ ଖବରପାଇ ଅବକାରୀ ବିଭାଗର ଏକ ଟିମ୍ ମଙ୍ଗଳବାର ସକାଳେ ଏହି ଗ୍ରାମରେ ଚଢ଼ାଉ କରି ପ୍ରଭାତଙ୍କୁ କାବୁ କରିଥିଲେ। ତେବେ ସେ କେଉଁଠୁ ବ୍ରାଉନସୁଗାର ଆଣୁଥିଲେ, ଏଥିରେ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି, ତାହାର ଅନୁସନ୍ଧାନ ଜାରି ରହିଛି ବୋଲି ଅବକାରୀ ପକ୍ଷରୁ କୁହାଯାଇଛି। ଏହି ଚଢ଼ାଉରେ ଅବକାରୀ ଇନିସ୍ପେକ୍ଟର ଭୈରବ ସାହୁ, ଜିଲା ମୋବାଇଲ ୟୁନିଟ୍, ଟାଙ୍ଗୀ ଅବକାରୀ ଇନିସ୍ପେକ୍ଟରଙ୍କ ସମେତ ଅନ୍ୟ ଅଧିକାରୀ ସାମିଲ ଥିଲେ।