Categories: ଜାତୀୟ

ମାଟି ତଳୁ ବାହାରିଲା ୫ କୋଟି ଟଙ୍କାର ଅଳଙ୍କାର: ଲୁଟି ନେଲେ ଲୋକେ

ପାଟନା, ୨୧।୮- ବିହାରର ମୁଜାଫରପୁର ନିକଟ ସାହେବଗଞ୍ଜ ନିକଟରେ ଏକ ଭଙ୍ଗା ଘରର କାନ୍ଥ ଖନନ ସମୟରେ ମାଟି ତଳୁ ବାହାରିଛି ଅଳଙ୍କାର। ୬ଟି ପିତଳ ବାକ୍ସରେ ସୁନା ଓ ରୂପା ଭର୍ତ୍ତି ଅଳଙ୍କାର ବାହାରିଛି। ତେବେ ଉକ୍ତ ଅଳଙ୍କାରକୁ ୪ ଜଣ ବ୍ୟକ୍ତି ଲୁଟି ନେଇଥିବା ଜମି ମାଲିକ ଚନ୍ଦ୍ରଶେଖର ଆଜାଦ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି।
ସେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି, ଅଗଷ୍ଟ ୧୮ରେ ଜେସିବି ମେଶିନ ସାହାଯ୍ୟରେ ଘରର କାନ୍ଥ ଖୋଳା ଯାଉଥିଲା। ସେହି ସମୟରେ ମାଟି ତଳୁ ୬ଟି ପିତ୍ତଳ ବାକ୍ସ ମିଳିଥିଲା। ଉକ୍ତ ବାକ୍ସକୁ ଭଙ୍ଗା ଯିବା ପରେ ସେଥିରେ ଭର୍ତ୍ତି ହୋଇଥିବା ସୁନା ଓ ରୂପା ଅଳଙ୍କାର ଗୁଡିକ ମାଟିରେ ବିଛାଡି ହୋଇପଡିଥିଲା। ଯାହାର ଆନୁମାନିକ ମୂଲ୍ୟ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ। ସେହି ସମୟରେ ସେଠାରେ ଉପସ୍ଥିତ ଥିବା ୪ ଜଣ ଲୋକ ଏହାକୁ ଲୁଟ କରି ନେଇଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି।

Share