୨୫୦ ଟଙ୍କାରୁ ୬ କୋଟି ପାରିଶ୍ରମିକ: କିଛି ଏଭଳି ଥିଲା ସୁଶାନ୍ତଙ୍କ ଜୀବନ ଯାତ୍ରା

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଉ ନାହାନ୍ତି ସତ। ହେଲେ ସେ ଛାଡ଼ିଯାଇଥିବା ସ୍ମୃତି ପ୍ରଶଂସକଙ୍କ ପାଇଁ ଅପାସୋରା ପାଲଟିଛି। ପରଦାରେ ନାୟକ ହିସାବରେ ସେ ଶତପ୍ରତିଶତ ଦେଇଆସୁଥିବା ବେଳେ ବ୍ୟକ୍ତିଗତ ଜୀବନରେ ମଧ୍ୟ ଅନେକଙ୍କ ପାଇଁ ପ୍ରେରଣା ସାଜିଥିଲେ। ବିହାରର ଛୋଟ ଗାଁରୁ ତାଙ୍କ ଯାତ୍ରା ବମ୍ବେ ପର୍ଯ୍ୟନ୍ତ ଆସିଥିଲା।

ଇଞ୍ଜିନିୟରିଂ ଛାଡ଼ିବା ପରେ ସେ ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍ସର ଭାବେ କାମ କରିଥିଲେ। ତାଙ୍କର ପ୍ରଥମ ଦରମା ଥିଲା ୨୫୦ ଟଙ୍କା। ପରେ ଏକତାଙ୍କ ଶୋ ‘ପବିତ୍ର ରିସ୍ତା’ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। ପରେ ସେ ଫିଲ୍ମ ଦୁନିଆ ପ୍ରତି ଆକୃଷ୍ଟ ହୋଇ ଛୋଟ ପରଦା ଛାଡ଼ିଥିଲେ।

୨୦୦୮ରେ ଟେଲିଭିଜନ୍‌ରେ କାମ କରିବା ପରେ ଧିରେ ଧିରେ ସୁଶାନ୍ତଙ୍କ ପାଖରେ ଟଙ୍କା ହୋଇଥିଲା। ସେ ୨୦୧୫ରେ ନିଜ ନାମରେ ଏକ ପେଣ୍ଟହାଉସ୍‌ କିଣିଥିଲେ। ଏହାର ଦାମ ଥିଲା ୨୦ କୋଟି। ପରେ ଏହି ଘରକୁ ସେ ବିଭିନ୍ନ ଜିନିଷରେ ସଜାଇଥିଲେ। ତାଙ୍କ ଘରେ ଏକ ବଡ଼ ଟେଲିସ୍କୋପ ରହିଛି। ଏହାକୁ ସେ ଟାଇମ୍‌ ମେସିନ୍‌ କୁହନ୍ତି। ଏଥିରେ ସେ ବଡ଼ ବଡ଼ ଗ୍ରହ, ତାରା, ନକ୍ଷତ୍ର ଆଦିକୁ ଘରେ ବସି ଦେଖିପାରୁଥିଲେ। କେବଳ ସେତିକି ନୁହେଁ ଭଲ ଗାଡ଼ି କିଣିବାକୁ ସେ ସଉକ ରଖିଥିଲେ। ଏବେ ସେ ପ୍ରତି ଫିଲ୍ମ ପିଛା ୫ରୁ ୬ କୋଟି ଟଙ୍କା ଡିମାଣ୍ଡ କରୁଥିଲେ। ଆଗାମୀ ଦିନରେ ତାଙ୍କର ଶେଷ ଫିଲ୍ମ ‘ଦିଲ ବିଚାରା’ ରିଲିଜ ହେବାକୁ ଯାଉଛି।

Share