Categories: ଜାତୀୟ

ଛତିଶଗଡ଼ରେ ୬୦୦କୋଟି ଟଙ୍କାର ଦୁର୍ନୀତି, ଜନସାଧାରଣଙ୍କ ପ୍ରତି ଏକ ଛଳନା: ଭାଜପା…

ନୂଆଦିଲ୍ଲୀ,୨୬।୯ : ଚଳିତ ବର୍ଷର ଶେଷରେ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଛତିଶଗଡ ଏବଂ ରାଜସ୍ଥାନ ଭଳି ରାଜ୍ୟରେ କଂଗ୍ରେସକୁ କ୍ଷମତାରୁ ହଟାଇବାକୁ ଭାଜପା ଯୋଜନାବଦ୍ଧ ଭାବେ ରଣନୀତି ପ୍ରସ୍ତୁତ କରିଛି। ମଙ୍ଗଳବାର ଭାଜପାର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଭୁପେଶ ବାଘେଲ ସରକାରଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣିଛନ୍ତି।

ଛତିଶଗଡ଼ ସରକାର ୬୦୦କୋଟି ଟଙ୍କାର ଦୁର୍ନୀତ କରିଛନ୍ତି। ରାଜ୍ୟର କଂଗ୍ରେସ ସରକାର ମାଓବାଦୀମାନଙ୍କ ସହ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ରାଜ୍ୟରେ କେନ୍ଦ୍ରୀୟ ଯୋଜନାକୁ ଅବରୋଧ କରାଯାଇଛି। ଶାସକ ଦଳ ଧର୍ମାନ୍ତରୀକରଣ ବିରୋଧୀ ଆଇନ ବିରୋଧରେ ଛିଡା ହୋଇଛି। ଏଭଳି କରି ଛତିଶଗଡର ଲୋକଙ୍କ ପ୍ରତି ସରକାର ବିଶ୍ୱାସଘାତକତା କରିଛନ୍ତି।

ଛତିଶଗଡରୁ ଲକ୍ଷ ଲକ୍ଷ କୃଷକ ପଞ୍ଜୀକୃତ ହୋଇଥିଲେ ମଧ୍ୟ ସେମାନଙ୍କର ଆବେଦନଗୁଡିକ ଯାଞ୍ଚ ହୋଇପାରିଲା ନାହିଁ। ଆଜି ଛତିଶଗଡର କୃଷକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କିଷାନ ସମ୍ମାନ ନିଧିର ବାର୍ଷିକ ୬ ହଜାର ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି। ଟଙ୍କା କିପରି ଅନ୍ନଦାତାଙ୍କ ପାଖରେ ନ ପହଞ୍ଚିବ ତାହା କଂଗ୍ରେସ ହିଁ କରିଛି।

କଂଗ୍ରେସ ସରକାରଙ୍କ ଅମଳରେ ଛତିଶଗଡରେ କୋଟି କୋଟି ଟଙ୍କାର ସ୍କାମ ହୋଇଛି। ରାଜ୍ୟରେ କଂଗ୍ରେସ ସରକାରଙ୍କ ଦ୍ୱାରା ଖଣି ମାଫିଆ ଏବଂ ଅପରାଧୀଙ୍କୁ ନୂଆ ନୂଆ ସୁଯୋଗ ଦିଆଯାଇଛି। କରୋନା ମହାମାରୀ ସମୟରେ ସଂଗୃହୀତ ହୋଇଥିବା ଉପକର(ସେସ) କୁାଡେଗଲା ତାହାର ହିସାବ କିଏ ଦେବ? ରାଜ୍ୟରେ ଯୌନ ଉତ୍ପୀଡ଼ନ ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଆଇନ ଶୃଙ୍ଖଳା ଭୁଶୁଡି ପଡ଼ିଛି। ସାଧାରଣ ଲୋକଙ୍କୁ ଜଙ୍ଗଲ ଆଇନ ଭୋଗୀବାକୁ ପଡୁଛି।

Share