ତହସିଲ ଅଫିସରୁ ୬୩ ଲକ୍ଷ ଟଙ୍କା ଆତ୍ମସାତ

ଡାବୁଗାଁ, ୩୦।୫: ନବରଙ୍ଗପୁର ଜିଲା ଡାବୁଗାଁ ତହସିଲ କାର୍ଯ୍ୟାଳୟରେ ୬୩ ଲକ୍ଷ ୬୨ ହଜାର ୭୩ରୁ ଊର୍ଦ୍ଧ୍ୱ ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗରେ ବରିଷ୍ଠ ରାଜସ୍ବ ସହାୟିକା ଚନ୍ଦନା ମଣ୍ଡଳଙ୍କୁ ନବରଙ୍ଗପୁର ଜିଲାପାଳ ଡ. ଅଜିତ କୁମାର ମିଶ୍ର ଚାକିରିରୁ ନିଲମ୍ବିତ କରିଛନ୍ତି। ତାଙ୍କୁ ତେନ୍ତୁଳିଖୁଣ୍ଟି ତହସିଲ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି। ଏହି ସମୟରେ ତାଙ୍କୁ ୫୦ ପ୍ରତିଶତ ଦରମା ପ୍ରଦାନ କରିବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଧିକାରୀଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପଜିଲାପାଳ ଭାସ୍କର ରଇତ କହିଛନ୍ତି। ସୂଚନା ଅନୁଯାୟୀ, ସମ୍ପୃକ୍ତା ବରିଷ୍ଠ ରାଜସ୍ବ ସହାୟିକା ଡାବୁଗାଁ ତହସିଲ କାର୍ଯ୍ୟାଳୟରେ ଆର୍ଥିକ ଅନିୟମିତତା କରିଥିବା ନେଇ ଶୁକ୍ରବାର ତହସିଲଦାର ସା ସମରଥ ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ପୋଲିସ ଶନିବାର ପୂର୍ବାହ୍ନରେ ତାଙ୍କୁ ଡାକି ପଚରାଉଚରା କରିବା ବେଳେ ସେ ଚେତା ଶୁନ୍ୟ ହୋଇ ପଡିଥିଲେ। ତାଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଅପରାହ୍ନ ୫ଟାରେ ତାଙ୍କୁ କୋରାପୁଟ ମେଡିକାଲ କଲେଜକୁ ପଠାଯାଇଥିଲା। ପୋଲିସ ୯୪/୨୧ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Share