Categories: ଜାତୀୟ

ଏତିକି ଟଙ୍କା ପାଇଁ ସ୍ବାମୀଙ୍କୁ ମାରି ଦେଲେ ସ୍ତ୍ରୀ: ଆଉ ତା’ପରେ ମୃତଦେହ ନେଇ..

ବେଙ୍ଗାଲୁରୁ ,୨୮ା୧୦:କର୍ନାଟକର କୋଡାଗୁ ଜିଲା ଅନ୍ତର୍ଗତ ଏକ କଫି ବଗିଚାରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ୩ ସପ୍ତାହ ପୂର୍ବରୁ ମିଳିଥିଲା। ପୋଲିସ ଏହା ଉପରେ ତଦନ୍ତ କରିବା ପରେ ଏକ ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି। ୮ କୋଟି ଟଙ୍କା ପାଇଁ ତେଲଙ୍ଗାନାର ୫୪ ବର୍ଷୀୟ ବ୍ୟବସାୟୀଙ୍କୁ ତାଙ୍କ ସ୍ତ୍ରୀ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ଲାଗି ମୃତଦେହକୁ ପୋଡ଼ିବା ସହ ୮୦୦ କିଲୋମିଟର ଦୂର କୋଡାଗୁ ଜିଲାରେ ନେଇ ଫିଙ୍ଗିଦେଇଥିଲେ।
ବ୍ୟବସାୟୀ ରମେଶ କିଛି ସପ୍ତାହ ହେଲା ନିଖୋଜ ଥିଲେ। ସେ ୮ କୋଟି ଟଙ୍କା ଦେବାକୁ ମନା କରିଦେବାରୁ ତାଙ୍କ ସ୍ତ୍ରୀ ନୀହାରିକା ନିଜ ପ୍ରେମିକ ନିଖିଲ ଓ ଅନ୍ୟ ଅଭିଯୁକ୍ତ ଅଙ୍କୁରଙ୍କ ସହ ମିଶି ତାଙ୍କୁ ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। କୋଡାଗୁ ଜିଲାରୁ ବ୍ୟବସାୟୀଙ୍କ ପୋଡ଼ିଯାଇଥିବା ମୃତଦେହ ମିଳିବା ପରେ ୨୯ ବର୍ଷୀୟା ନୀହାରିକାଙ୍କ ସମେତ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ଅକ୍ଟୋବର ୮ରେ କୋଡାଗୁର ସୁନ୍ତିକୋପା ନିକଟ କଫି ବଗିଚାରୁ ଏକ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଥିଲା। ମୃତକଙ୍କ ପରିଚୟ ଜାଣିବାକୁ ଉଦ୍ୟମ କରି ପୋଲିସ ବିଫଳ ହେବା ପରେ ସିସିଟିଭି ଫୁଟେଜ୍‌ରୁ ସେହି ଅଞ୍ଚଳ ଦେଇ ଯାଇଥିବା ଗାଡ଼ିଗୁଡ଼ିକୁ ଯାଞ୍ଚ କରିଥିଲା। ଏହି ସମୟରେ ଏକ ନାଲି ମର୍ସିଡିସ୍‌ ବେଞ୍ଜ୍‌ ପୋଲିସର ଦୃଷ୍ଟି ଆକର୍ଷଣ କରିଥିଲା। କାର୍‌ଟି ରମେଶଙ୍କ ନାଁରେ ଥିଲା। କର୍ନାଟକ ପୋଲିସ ଗାଡ଼ି ପଞ୍ଜୀକୃତ ହୋଇଥିବା ତେଲଙ୍ଗାନା ପୋଲିସ ସହ ଯୋଗାଯୋଗ କରିଥିଲା। ସ୍ବାମୀ ରମେଶ ନିଖୋଜ ଥିବା ନେଇ ସ୍ତ୍ରୀ ନିହାରିକା ଏତଲା ଦେଇଥିବାରୁ ତାଙ୍କ ଉପରେ ପୋଲିସର ସନ୍ଦେହ କେନ୍ଦ୍ରୀଭୂତ ହୋଇଥିଲା। ହାଜତକୁ ନେଇ ପଚରାଉଚରା କରିବା ପରେ ନୀହାରିକା ତାଙ୍କ ପ୍ରେମିକ ତଥା ପ୍ରାଣୀ ଚିକିତ୍ସକ ନିଖିଲ ଏବଂ ଅଙ୍କୁରଙ୍କ ସହ ମିଶି ରମେଶଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ।
ସୂଚନା ଅନୁଯାୟୀ, ନୀହାରିକାଙ୍କୁ ୧୬ ବର୍ଷ ହୋଇଥିବାବେଳେ ତାଙ୍କ ବାପାଙ୍କ ପରଲୋକ ହୋଇଥିଲା। ଶିକ୍ଷା ଶେଷ ପରେ କମ୍‌ ବର୍ଷ ବୟସରେ ନୀହାରିକାଙ୍କୁ ବିବାହ କରିଦିଆଯାଇଥିବାବେଳେ ସେ ମାଆ ହେବା ପରେ ଛାଡ଼ପତ୍ର ହୋଇଯାଇଥିଲା। ସେ ହରିୟାଣାରେ ଥିବାବେଳେ ଆର୍ଥତ୍କ ଜାଲିଆତିରେ ସମ୍ପୃକ୍ତ ରହି ଜେଲ ଯାଇଥିଲେ। ଜେଲରେ ତାଙ୍କର ଅଙ୍କୁରଙ୍କ ସହ ଭେଟ ହୋଇଥିଲା। ଜେଲରୁ ବାହାରିବା ପରେ ନୀହାରିକା ରମେଶଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ସେ ମାଗିଥିବା ୮ କୋଟି ଟଙ୍କା ଦେବାକୁ ରମେଶ ମନା କରିଦେବାରୁ କ୍ଷୁବ୍ଧ ହୋଇଥିଲେ। ଇତିମଧ୍ୟରେ ତାଙ୍କର ନିଖିଲଙ୍କ ସହ ସମ୍ପର୍କ ଗଢ଼ିଉଠିଥିଲା। ସେମାନେ ମିଶି ରମେଶଙ୍କ ସମ୍ପତ୍ତି ହାତେଇବା ପାଇଁ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି। ଅକ୍ଟୋବର ୧ରେ ହାଇଦ୍ରାବାଦର ଉପ୍ପଲଠାରେ ରମେଶଙ୍କୁ ହତ୍ୟା କରାଯାଇଥିଲା। ଏହା ପରେ ଅଭିଯୁକ୍ତମାନେ ତାଙ୍କ ଘରୁ ଟଙ୍କା ନେଇଯାଇ ମୃତଦେହ ସହ ବେଙ୍ଗାଲୁରୁ ଯାଇଥିଲେ। ସେଠାରୁ କୋଡାଗୁ ଯାଇ ମୃତଦେହକୁ କଫି ଇଷ୍ଟେଟ୍‌ରେ ଫିଙ୍ଗିବା ସହ କମ୍ବଳ ଘୋଡ଼ାଇ ନିଆଁ ଲଗାଇ ଦେଇଥିଲେ। ହାଇଦ୍ରାବାଦ ଫେରିବା ପରେ ରମେଶ ନିଖୋଜ ଥିବା ନେଇ ନୀହାରିକା ଥାନାରେ ଏତଲା ଦେଇଥିଲେ।

Share