Categories: ବାଣିଜ୍ୟ

୭,୯୨୬ କୋଟିର ବ୍ୟାଙ୍କ ଠକେଇ

 

ନୂଆଦିଲ୍ଲୀ: ବ୍ୟାଙ୍କଗୁଡ଼ିକରେ ଠକେଇ ମାମଲା ବଢିବାରେ ଲାଗିଛି। ନୀରବ ମୋଦି ଏବଂ ମେହୁଲ ଚୋକ୍‌ସିଙ୍କ ଭଳି ବ୍ୟକ୍ତି ପଞ୍ଜାବ ନ୍ୟାଶନାଲ (ପିଏନ୍‌ବି)କୁ ପ୍ରାୟ ୧୩ ହଜାର କୋଟି ଟଙ୍କା ଠକେଇ କରିବା ପରେ ବର୍ତ୍ତମାନ ଆଉ ଏକ ବଡ ବ୍ୟାଙ୍କ ଠକେଇ ମାମଲା ସାମ୍ନାକୁ ଆସିଛି। ହାଇଦ୍ରାବାଦ ଭିତ୍ତିକ କମ୍ପାନୀ ଟ୍ରାନ୍ସଷ୍ଟଏ ଇଣ୍ଡିଆ ଲିମିଟେଡ୍‌ ନାମକ କମ୍ପାନୀ କନ୍‌ସୋର୍ଟିୟମ ବ୍ୟାଙ୍କକୁ ୭,୯୨୬ କୋଟି ଟଙ୍କା ଠକେଇ କରିଥିବା ଶୁକ୍ରବାର ଅଭିଯୋଗ ଆସିଛି। ଏହି କମ୍ପାନୀ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ପକ୍ଷରୁ ମାମଲା ରୁଜୁ କରାଯାଇଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ହୀରା ବ୍ୟବସାୟୀ ନୀରବ ମୋଦି ବ୍ୟାଙ୍କଗୁଡିକୁ ଯେତେ ପରିମାଣର ଅର୍ଥ ଠକେଇ କରିଛନ୍ତି ତା’ଠାରୁ ଏହି ମାମଲା ବଡ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ବ୍ୟକ୍ତି କହିଛନ୍ତି। ନୀରବ ବର୍ତ୍ତମାନ ଲଣ୍ଡନ ଜେଲରେ ରହିଥିବା ବେଳେ ତାଙ୍କ ବିରୋଧରେ ପ୍ରତ୍ୟର୍ପଣ ମାମଲାର ଶୁଣାଣି ହେଉଛି। ସେ ବ୍ୟାଙ୍କଗୁଡିକୁ ୭,୭୦୦ କୋଟି ଟଙ୍କା ଠକେଇ କରି ଭାରତରୁ ପଳାୟନ କରିଥିଲେ। ବର୍ତ୍ତମାନର ଠକେଇରେ ସାମିଲ ଥିବା ଟ୍ରାନ୍ସଷ୍ଟୋରି କମ୍ପାନୀ ରାଜପଥ, ବ୍ରିଜ୍‌, ଜଳସେଚନ ପ୍ରକଳ୍ପ, ମେଟ୍ରୋ ପ୍ରକଳ୍ପ, ତୈଳ ଏବଂ ବାଷ୍ପ କ୍ଷେତ୍ର ବାଣିଜ୍ୟ ସହ ଜଡିତ ରହି ଆସିଛି। ୨୦୧୯ ସେପ୍ଟେମ୍ବରରେ ନ୍ୟାଶନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଟି)ଙ୍କ ନିର୍ଦ୍ଦେଶକ୍ରମେ ଏହା ଲିକ୍ୟୁଡେଶନ ପ୍ରକ୍ରିୟା ଦେଇ କରୁଛି।
କମ୍ପାନୀର ସିଏମ୍‌ଡି ଚେରୁକୁରୀ ଏସ୍‌.ଶ୍ରୀଧରଙ୍କ ବାଦ୍‌ ଅତିରିକ୍ତ ନିର୍ଦ୍ଦେଶକ ସାମ୍ବାଶିବା ରାଓ, ଅତିରିକ୍ତ ନିର୍ଦ୍ଦେଶକ ଅକିନେନି ସତୀଶଙ୍କ ନାମରେ ମାମଲା ରୁଜୁ ହୋଇଛି। ଠକେଇ ସଂକ୍ରାନ୍ତ କାଗଜପତ୍ର ହାସଲ କରିବା ଲାଗି ସିବିଆଇ ହାଇଦ୍ରାବାଦ ଏବଂ ଗୁଣ୍ଟୁରର ବିଭିନ୍ନ ସ୍ଥାନ ଉପରେ ଚଢାଉ କରିଥିଲା। ସିବିଆଇ ମୁଖପାତ୍ର ଆର୍‌.କେ.ଗୌର କହିଛନ୍ତି, କାନାରା ବ୍ୟାଙ୍କ ନେତୃତ୍ୱାଧୀନ କନ୍‌ର୍ସୋଟିୟମର ବିଭିନ୍ନ ବ୍ୟାଙ୍କରୁ ଟ୍ରାନ୍ସଷ୍ଟୋରି ଋଣ ନେଇଛି। ବୁକ୍‌ ଅଫ୍‌ ଆକାଉଣ୍ଟ, ଷ୍ଟକ୍‌ ଷ୍ଟେଟ୍‌ମେଣ୍ଟ ଏବଂ ବାଲାନ୍ସ ସିଟ୍‌ ଟାମ୍ପରିଂ ଭଳି ଜାଲିଆତି କରି ଏଭଳି ଋଣ ଠକେଇ କରାଯାଇଛି। ଏହି ବୃହତ୍‌ ପରିମାଣର ଋଣ ପରେ ଏନ୍‌ପିଏ ଘୋଷଣା କରାଯାଇଛି।

Share