Categories: ଜାତୀୟ

ସାମ୍ପ୍ରଦାୟିକ ହିଂସାକୁ ନେଇ ଆରଏସ୍‌ଏସ୍‌ ମୁଖ୍ୟଙ୍କ ବୟାନ

ନୂଆଦିଲ୍ଲୀ,୨୯।୪: ରାମନବମୀ ପରଠାରୁ ଦେଶର ବିଭିନ୍ନ ରାଜ୍ୟରେ ସାମ୍ପ୍ରଦାୟିକ ହିଂସା ଘଟଣା ସାମ୍ନାକୁ ଆସୁଛି। ଏହାକୁ ନେଇ ଏବେ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କ ବୟାନ ସାମ୍ନାକୁ ଆସିଛି। ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ କହିଛନ୍ତି, ଏକ ସଭ୍ୟ ସମାଜରେ କୌଣସି ହିଂସାର ସ୍ଥାନ ନାହିଁ। ତାଙ୍କର ଏହି ବୟାନ ସମସ୍ତଙ୍କ ମନକୁ ଜିଣିନେଇଛି। ଅନ୍ୟପଟେ ଶିବସେନା ମୋହନ ଭାଗବତଙ୍କ ବୟାନକୁ ପ୍ରଶଂସା କରିବା ସହ ଏହି ବିଷୟରେ ଦେଶରେ ଆଲୋଚନା କରିବା ଉଚିତ୍‌ ବୋଲି କହିଛି। ସୂଚନାଯୋଗ୍ୟ, ଅମରାବତୀରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ସଂଘର ମୁଖ୍ୟ ମୋହନ ଯୋଗଦେଇଥିବା ବେଳେ ସାମ୍ପ୍ରଦାୟିକ ହିଂସାକୁ ନେଇ ପ୍ରତିକ୍ରିୟା ରଖିଥିଲେ। ସେ କହିଛନ୍ତି, ହିଂସାକୁ ଭଲ ପାଉଥିବା ସମାଜ ଏହାର ଶେଷ ଦିନକୁ ଗଣନା କରୁଛି। ଏଥିସହ ସେ କହିଛନ୍ତି, ହିଂସା ଦ୍ୱାରା କେହି ଲାଭବାନ ହୁଅନ୍ତି ନାହିଁ। ଆମକୁ ସର୍ବଦା ଅହିଂସା ଏବଂ ଶାନ୍ତି ପ୍ରେମୀ ହେବା ଉଚିତ୍‌। ଏଥିପାଇଁ ସମସ୍ତ ସମ୍ପ୍ରଦାୟକୁ ଏକାଠି କରିବା ଏବଂ ମାନବିକତାର ସୁରକ୍ଷା କରିବା ଆବଶ୍ୟକ। ଏହି କାର୍ଯ୍ୟକୁ ଆମେ ପ୍ରାଥମିକତା ଦେବା ଉଚିତ୍‌ ବୋଲି ମୋହନ ଭାଗବତ କହିଛନ୍ତି। ତେବେ ମୋହନ ଭାଗବତଙ୍କ ଏହି ବୟାନକୁ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ସମର୍ଥନ କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ତାଙ୍କର ଏଭଳି ବିଚାରଧାରାକୁ ନେଇ ସାରା ଦେଶରେ ବିତର୍କ ହେବା ଉଚିତ୍‌ ବୋଲି ସଞ୍ଜୟ ରାଉତ କହିଛନ୍ତି।

Share