Categories: ଜାତୀୟ

ଧର୍ମ ସଂସଦଠାରୁ ଦୂରତା ବଢ଼ାଇଲା ଆର୍‌ଏସ୍‌ଏସ୍‌, ମୋହନ ଭାଗଓ୍ବତ କହିଲେ ଏଭଳି…

ନୂଆଦିଲ୍ଲୀ, ୭।୨ : ଧର୍ମ ସଂସଦରେ ପ୍ରଦାନ କରାଯାଇଥିବା ମନ୍ତବ୍ୟ ନେଇ ସଂସଦଠାରୁ ଆର୍‌ଏସ୍‌ଏସ୍‌ ନିଜର ଦୂରତା ବଢ଼ାଇଛି। ରବିବାର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌)ର ମୁଖ୍ୟ ମୋହନ ଭଗଓ୍ବତ କହିଛନ୍ତି ଯେ ଧର୍ମ ସଂସଦରେ ଆୟୋଜକଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଅପମାନଜନକ ବିବୃତ୍ତି ହିନ୍ଦୁ ଭାବନାର ପ୍ରତିନିଧିତ୍ୱ କରେ ନାହିଁ।

ଧର୍ମ ସଂସଦ ଘଟଣାରେ ଯାହା କୁହାଯାଇଥିଲା ସେଥିରେ ନିଜର ଅସନ୍ତୋଷ ବ୍ୟକ୍ତ କରି ଭାଗଓ୍ବତ କହିଛନ୍ତି ,ସେଠାରେ ଯାହା ବି ଘଟିଲା, ତାହା ହିନ୍ଦୁ ଶବ୍ଦ, ହିନ୍ଦୁ କାର୍ଯ୍ୟ କିମ୍ବା ହିନ୍ଦୁ ମନୋଭାବ ନୁହେଁ। ନାଗପୁରରେ ଏକ ଖବରକାଗଜର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ଏକ ବକ୍ତୃତା ’ହିନ୍ଦୁ ଧର୍ମ ଏବଂ ଜାତୀୟ ଏକତା’ ଶୀର୍ଷକ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବାବେଳେ ଆରଏସଏସ ମୁଖ୍ୟ ଏହି ମନ୍ତବ୍ୟ ଦେଇଛନ୍ତିି। ଭାଗବତ କହିଛନ୍ତି ଯେ ହିନ୍ଦୁତ୍ୱ ଏକ ‘ବାଦ’ ନୁହେଁ, ହିନ୍ଦୁତ୍ୱର ଇଂରାଜୀ ଅନୁବାଦ ହେଉଛି ହିନ୍ଦୁନେସ୍‌।

ଆରଏସ୍‌ଏସ୍‌ ମୁଖ୍ୟ ସୂଚିତ କରିଛନ୍ତି ଯେ ହିନ୍ଦୁତ୍ୱ ଶବ୍ଦ ପ୍ରଥମେ ଗୁରୁ ନାନକ ଦେବଙ୍କ ଦ୍ୱାରା ଉଲ୍ଲେଖ କରାଯାଇଥିଲା। ଏହା ରାମାୟଣ, ମହାଭାରତରେ ଉଲ୍ଲେଖ କରାଯାଇ ନାହିଁ। ହିନ୍ଦୁତ୍ୱ ଏକ ସୀମିତ ଶବ୍ଦର ଅର୍ଥ ନୁହେଁ, ଏହା ଗତିଶୀଳ ଏବଂ ଅଭିଜ୍ଞତା ସହିତ ନିରନ୍ତର ପରିବର୍ତ୍ତନ ହୋଇଥାଏ। ବ୍ୟକ୍ତିଗତ ଲାଭ କିମ୍ବା ଶତ୍ରୁତାକୁ ଦୃଷ୍ଟିରେ ରଖି ଦିଆଯାଇଥିବା ବିବୃତ୍ତି ହିନ୍ଦୁତ୍ୱର ପ୍ରତିନିଧିତ୍ୱ କରେ ନାହିଁ ବୋଲି ସେ କହିଛନ୍ତି।
ଆରଏସଏସ ମୁଖ୍ୟ କହିଛନ୍ତି ଯେ ଆରଏସଏସ କିମ୍ବା ଯେଉଁମାନେ ପ୍ରକୃତରେ ହିନ୍ଦୁତ୍ୱ ଅନୁସରଣ କରନ୍ତି ସେମାନେ ଏହାର ଭୁଲ ବ୍ୟାଖ୍ୟାରେ ବିଶ୍ୱାସ କରନ୍ତି ନାହିଁ। ସେ କହିଛନ୍ତି ଯେ ସମସ୍ତଙ୍କ ପ୍ରତି ସନ୍ତୁଳନ, ବିବେକ, ଆତ୍ମିୟତା ହିନ୍ଦୁତ୍ୱକୁ ପ୍ରତିନିଧିତ୍ୱ କରିଥାଏ।

ସୂଚନାଯୋଗ୍ୟ, ହରିଦ୍ୱାର ଏବଂ ଦିଲ୍ଲୀରେ ଧର୍ମ ସଂସଦରେ ଧାର୍ମିକ ନେତାଙ୍କ ଦ୍ୱାରା ଉତ୍ତେଜିତ ଭାଷଣ ଯୋଗୁଁ ବିବାଦ ସୃଷ୍ଟି ହୋଇଥିଲା।

Share