ନୂଆଦିଲ୍ଲୀ,୧୫ା୩: ସମଲିଙ୍ଗୀ ବିବାହ ମାମଲାରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍) ସମର୍ଥନ ଜଣାଇଛି। ଦୁଇ ବିପରୀତଲିଙ୍ଗୀ ବ୍ୟକ୍ତିଙ୍କ ମଧ୍ୟରେ ବିବାହ ସମ୍ପନ୍ନ ହୋଇଥାଏ। ହିନ୍ଦୁ ସଂସ୍କୃତି ଓ ବିଚାରଧାରାରେ ବିବାହ ଅର୍ଥ କେବଳ ଉପଭୋଗ କରିବା ନୁହେଁ ବୋଲି ଆର୍ଏସ୍ଏସ୍ ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସାବାଲେ କହିଛନ୍ତି। ପରିବାର ଓ ସମାଜର ମଙ୍ଗଳ ପାଇଁ ବିବାହ ଅନୁଷ୍ଠିତ ହୋଇଥାଏ। ଏହା ଶାରୀରିକ ଓ ଯୌନସମ୍ଭୋଗ ପାଇଁ ନୁହେଁ। ସମଲିଙ୍ଗୀ ବିବାଳ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ସହ ଆର୍ଏସ୍ଏସ୍ ସହମତ ବୋଲି ହୋସାବାଲେ କହିଛନ୍ତି। ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ସରକାର କହିଥିଲେ, ବିବାହ ଅର୍ଥ ଦୁଇ ବିପରୀତଲିଙ୍ଗୀ ବ୍ୟକ୍ତିଙ୍କ ମଧ୍ୟରେ ମିଳନ ଏବଂ ଏହି ସଂଜ୍ଞା ସ୍ବୀକୃତି ପାଇଆସିଛି। ନ୍ୟାୟିକ ହସ୍ତକ୍ଷେପ ଦ୍ୱାରା ଏହାକୁ ପ୍ରଭାବିତ କରାଯିବା ଉଚିତ ନୁହେଁ। ପ୍ରକାଶ ଯେ, ଏହାର ଶୁଣାଣି ୫ ଜଣିଆ ସାମ୍ବିଧାନିକ ପୀଠରେ କରିବା ପାଇଁ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି।