କୁମ୍ଭମେଳା ଫେରନ୍ତାଙ୍କ ପାଇଁ ଆର୍‌ଟି-ପିସିଆର୍‌ ବାଧ୍ୟତାମୂଳକ

ଭୁବନେଶ୍ୱର,୧୮ା୪(ବ୍ୟୁରୋ): ଓଡ଼ିଶାରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର କେତେକ କଡ଼ା ସତର୍କତା ଅବଲମ୍ବନ କରୁଛନ୍ତି। ଏହି କ୍ରମରେ ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା ପଞ୍ଜୀକୃତ ହୋଇଥିବା ତଥା କୁମ୍ଭମେଳାରୁ ଓଡ଼ିଶା ଫେରୁଥିବା ଲୋକଙ୍କୁ ଆର୍‌ଟି-ପିସିଆର ରିପୋର୍ଟ ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି। ଯେଉଁମାନେ ଯାଇଛନ୍ତି ସେମାନଙ୍କୁ ଚିହ୍ନଟ କରି ଓଡ଼ିଶା ଆସିବା ପୂର୍ବରୁ ସେଠାରେ ଆର୍‌ଟି-ପିସିଆର ଟେଷ୍ଟ କରାଇବା ଲାଗି ପରାମର୍ଶ ଦେବାକୁ ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ଶନିବାର ସମସ୍ତ ଜିଲାପାଳ ଏବଂ ମହାନଗର ନିଗମ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୁମ୍ଭମେଳାରେ ଯୋଗ ଦେଇ ଫେରିଥିବା ସମସ୍ତ ଶ୍ରଦ୍ଧାଳୁ ଘରେ କିମ୍ବା ଅସ୍ଥାୟୀ ମେଡିକାଲ ଶିବିର(ଟିଏମ୍‌ସି)ରେ ୧୪ ଦିନ କ୍ୱାରାଣ୍ଟାଇନରେ ରହିବେ। ଏଥିସହିତ ବାଧ୍ୟତାମୂଳକ ଭାବେ ସେମାନଙ୍କ ଆର୍‌ଟି-ପିସିଆର ଟେଷ୍ଟ କରାଯିବ। ଆଶା ଓ ଅଙ୍ଗନଓ୍ବାଡି କର୍ମୀ ସେମାନଙ୍କ ଘର କିମ୍ବା ଟିଏମ୍‌ସିକୁ ନିୟମିତ ଯାଇ ସ୍ବାସ୍ଥାବସ୍ଥା ତଦାରଖ କରିବେ। ଯେଉଁମାନେ କୁମ୍ଭମେଳାକୁ ଯାଇଛନ୍ତି ସେମାନେ ସ୍ବେଚ୍ଛାକୃତ ଭାବେ ନିଜକୁ ଅଲଗା ରଖିବା ସହ ନିଜ ଅଞ୍ଚଳର ବିଡିଓ, ମ୍ୟୁନିସିପାଲିଟି, ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜଣାଇବାକୁ ଅନୁରୋଧ କରାଯାଇଛି। ଜିଲାପାଳ ଓ ମହାନଗର ନିଗମ କମିଶନରମାନେ ସ୍ବାସ୍ଥ୍ୟ ବିଭାଗ ଓ ଏସ୍‌ଆର୍‌ସି କାର୍ଯ୍ୟାଳୟକୁ ନିୟମିତ ଭାବେ ଜଣାଇବାକୁ କୁହାଯାଇଛି।

Share