କଟକଣା ବିଜ୍ଞପ୍ତି ବଦଳାଇଲେ ଆର୍‌ଟିଓ

ବରଗଡ଼,୯।୧୦(ପ୍ରେମାନନ୍ଦ ଖମାରୀ): ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ପ୍ରାୟ ମାସେ ରହିଛି। ଏଭଳି ସ୍ଥଳେ ବରଗଡ଼ ଆଞ୍ଚଳିକ ପରିବହନ ଅଧିକାରୀ (ଆର୍‌ଟିଓ) ସାବୁଆ ମାଝି ସୋମବାର ଏକ ପ୍ରେସ ବିଜ୍ଞପ୍ତି (ନଂ-୨୩୮୪, ତା-୭।୧୦।୨୪) ପ୍ରକାଶ କରିଥିଲେ। ଧାନ ପରିବହନ ଗାଡ଼ିର କାଗଜାତ୍‌ ଠିକ୍‌ ନ ଥିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେଥିରେ ଉଳ୍ଲେଖ ରହିଥିଲା। ଏହା ଜାଣିବା ପରେ ଚାଷୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। କାଗଜାତ୍‌ ଠିକ୍‌ ନ ଥିବା ଅନେକ ହାଇୱା, ଟ୍ରାକ୍ଟର, ଟ୍ରକ୍‌ ଆଦିରେ ବାଲି, ଇଟା, ପଥର, ମୋରମ ଆଦି ପ୍ରତିଦିନ ଚାଲାଣ ହେଉଥିବାବେଳେ ସେଥିପ୍ରତି ଆଞ୍ଚଳିକ ପରିବହନ ବିଭାଗ ଆଖିବୁଜି ଦେଇଥିବା ଚାଷୀନେତାମାନେ ଅଭିଯୋଗ କରିଥିଲେ। ଅନ୍ୟପଟେ ଧାନ ସଂଗ୍ରହ ଅବ୍ୟବହିତ ପୂର୍ବରୁ କେବଳ ଧାନ ପରିବହନ ଗାଡ଼ି ଉପରେ ସେଭଳି କାର୍ଯ୍ୟାନୁଷ୍ଠାନ ନେଇ ଆର୍‌ଟିଓଙ୍କ ପ୍ରେସ ବିଜ୍ଞକ୍ତିକୁ ଚାଷୀ ପ୍ରତିନିିଧିମାନେ ନାପସନ୍ଦ କରିବା ସହିତ ସେହି ବିଜ୍ଞପ୍ତିକୁ ତୁରନ୍ତ ପ୍ରତ୍ୟାହାର କରି ନେବାକୁ ଦାବି କରିଥିଲେ।
ଏହାସହିତ ଚାଷୀନେତା ସୁରେଶ ନେକାଣ୍ଟିଙ୍କ ନେତୃତ୍ୱରେ ମଙ୍ଗଳବାର ଏକ ଚାଷୀ ପ୍ରତିନିଧି ଦଳ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଆରଟିଓ ମାଝିଙ୍କୁ ଭେଟି ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହାପରେ ଆରଟିଓ ମାଝି ସେହି ବିଜ୍ଞପ୍ତିର ରୂପରେଖ ବଦଳାଇଛନ୍ତି। ନୂତନ ବିଜ୍ଞପ୍ତି (ନଂ.୨୩୮୮, ତା-୮।୧୦।୨୪)ରେ ଧାନ ପରିବହନ ଗାଡ଼ିକୁ ନିର୍ଦ୍ଦିଷ୍ଟ ଭାବେ ଆଉ ଉଲ୍ଲେଖ ନ କରି ଜିଲାରେ ବିନା କାଗଜାତ୍‌ରେ ଚାଲୁଥିବା ଗାଡ଼ି ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉଲ୍ଲେଖ କରିବା ସହିତ ସମ୍ପୃକ୍ତ ଗାଡ଼ିି ମାଲିକ ସେମାନଙ୍କ ଗାଡ଼ି ଗୁଡ଼ିକର କାଗଜାତ୍‌ ବୈଧ ତଥା ନବୀକରଣ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଆର୍‌ଟିଓ ପ୍ରେସ ବିଜ୍ଞପ୍ତି ବଦଳାଇବା ପରେ ଆଗକୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ବ୍ୟବହୃତ ଗାଡ଼ି ଗୁଡ଼ିକର କାଗଜାତ୍‌ ଠିକ୍‌ ନ ଥିଲେ, ସେଥିପ୍ରତି ଆଞ୍ଚଳିକ ପରିବହନ ବିଭାଗର ନଜର କିଭଳି ରହିବ, ତାହା ସମୟ କହିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

Share