କଟକଣା ସହ ଖୋଲିବ ଆର୍‌ଟିଓ

କଟକ ଅଫିସ,୧୫।୮: କରୋନା ମହାମାରୀ ବେଳେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ) କାର୍ଯ୍ୟ କରୁଥିଲେ ମଧ୍ୟ ସଂକ୍ରମଣ ଭୟରେ ସର୍ବସାଧାରଣଙ୍କ ପାଇଁ ଏଗୁଡ଼ିକ ବନ୍ଦ ରହିଥିଲା। ୫୦ ପ୍ରତିଶତ କର୍ମଚାରୀରେ କାର୍ଯ୍ୟାଳୟ ଚାଲିଥିଲା। କିନ୍ତୁ ଏବେ ସୀମିତ ସେବା ଓ କଟକଣା ଭିତରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପରିବହନ କାର୍ଯ୍ୟାଳୟଗୁଡ଼ିକ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଶୁକ୍ରବାର ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ବିଜ୍ଞପ୍ତି ଜାରି କରିଛି।
ଡ୍ରାଇଭିଂ ଲାଇସେନ୍ସ, ଲର୍ନର୍ସ ଲାଇସେନ୍ସ ଓ ଯାନବାହନ ସେବା ସମ୍ପର୍କିତ କାର୍ଯ୍ୟ ପାଇଁ ଆର୍‌ଟିଓଗୁଡ଼ିକ ଖୋଲା ରହିବ। ଡିଏଲ୍‌ ଓ ଏଲ୍‌ଏଲ୍‌ ପରୀକ୍ଷା ବର୍ତ୍ତମାନ ପାଇଁ ବନ୍ଦ ରଖାଯାଇଛି। ଆବେଦନକାରୀ ଓ ପ୍ରାଧିକୃତ ବ୍ୟକ୍ତିମାନେ ହିଁ କାର୍ଯ୍ୟାଳୟକୁ ପ୍ରବେଶ କରିପାରିବେ। ଡ୍ରାଇଭିଂ ଲାଇସେନ୍ସ ନବୀକରଣ, ଡ୍ରାଇଭିଂ ଲାଇସେନ୍ସରେ ଠିକଣା ପରିବର୍ତ୍ତନ, ନକଲି ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ, ନାମ ପରିବର୍ତ୍ତନ, ବାୟୋମେଟ୍ରିକ୍‌ରେ ପରିବର୍ତ୍ତନ, କ୍ଲାସ୍‌ ଅଫ୍‌ ଭେଇକିଲ୍‌କୁ ଦାଖଲ ସହ ‘ବାହାନ’ ଏବଂ ଭିସିଆର୍‌ ସଂପର୍କିତ ସମସ୍ତ କାର୍ଯ୍ୟ ଏଣିକି ଆର୍‌ଟିଓରେ ହୋଇପାରିବ। ପୂର୍ବରୁ ଏସବୁ କାର୍ଯ୍ୟ କେବଳ ଅନ୍‌ଲାଇନ୍‌ରେ ହେଉଥିଲା। ପ୍ରତ୍ୟେକ ବ୍ୟକ୍ତିଙ୍କୁ ଡିଏଲ୍‌ ଓ ଏଲ୍‌ଏଲ୍‌ କାର୍ଯ୍ୟ ପାଇଁ ମାତ୍ର ଅଧ ଘଣ୍ଟାର ସ୍ଲଟ୍‌ ଦିଆଯିବ। ସେହିଭଳି ଆର୍‌ସି ସମ୍ପର୍କିତ କାର୍ଯ୍ୟ ପାଇଁ ମଧ୍ୟ କାର୍ଯ୍ୟାଳୟକୁ ପ୍ରବେଶ ଅନୁମତି ଦିଆଯାଇଛି। ମାଲିକାନା ପରିବର୍ତ୍ତନ ଓ ନବୀକରଣ ସହ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ଏବଂ ହାଇପୋଥିକେସନ୍‌ କାର୍ଯ୍ୟ ବର୍ତ୍ତମାନ ଆର୍‌ଟିଓରେ ହୋଇପାରିବ।

Share