ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲରେ ଉତ୍ତେଜନା: ପଦାଧିକାରୀଙ୍କୁ ଛୁଇଁ ସଂକ୍ରମିତ କରିବାକୁ ଗୋଡ଼ାଇଲେ ଆକ୍ରାନ୍ତ

କଟକ ଅଫିସ୍‌,୫।୭: ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଏଠାରେ ଶନିବାର ପୁଣି ଆଉ ୩୮ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ନିରାପତ୍ତାରକ୍ଷା ହୋଇଥିବା ବେଳେ ଅନ୍ୟ ସମସ୍ତେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଥିବା ଜଣାପଡ଼ିଛି। ଶନିବାର ରାତି ୧୦ଟାରେ କରୋନା ଆକ୍ରାନ୍ତଙ୍କୁ ସ୍ଥାନାନ୍ତର କରିବା ପାଇଁ ଏନ୍‌ଡିଆର୍‌ଏଫ୍‌ ଗାଡ଼ି ପହଞ୍ଚତ୍ବା ବେଳେ ସେମାନଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଆକ୍ରାନ୍ତ ଓ ସେମାନଙ୍କ ସମ୍ପର୍କୀୟ ହସ୍ପିଟାଲ ପଦାଧିକାରୀଙ୍କୁ ଏଥିପାଇଁ ଦୋଷାରୋପ କରି ଗାଡ଼ିରେ ଆଦୌ ବସି ନ ଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷ ଠିକ୍‌ ଭାବେ ସାନିଟାଇଜ୍‌ ଓ ଅନ୍ୟ ପଦକ୍ଷେପ ନ ନେବାରୁ ଏଭଳି ପରିସ୍ଥିତି ହୋଇଥିବା କହି ସେମାନେ ହୋହଲ୍ଲା କରିଥିଲେ। ଏପରିକି ପଦାଧିକାରୀଙ୍କୁ ଛୁଇଁ କରୋନାରେ ପକାଇବାକୁ ଧମକ ଦେଇଥିଲେ। ଫଳରେ ବାଧ୍ୟହୋଇ ସ୍ଥିତି ନିୟନ୍ତ୍ରଣ ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ପୋଲିସ ଡକାଇଥିଲେ।

ଉଲ୍ଲେଖଯୋଗ୍ୟ, ଗତ ୨୬ ତାରିଖରେ ପ୍ରଥମେ ଏଠାରେ ଭର୍ତ୍ତି ହୋଇଥିବା ଗଞ୍ଜାମ ଅଞ୍ଚଳର ଜଣେ ରୋଗୀ କରୋନା ଆକ୍ରାନ୍ତ ହୋଇଥିଲେ। ଏହାପରେ ଗତ ଜୁନ୍‌ ୨୭ ତାରିଖ ୨ ଜଣ, ୨୯ରେ ୬ ଜଣ, ୩୦ରେ ୭ ଜଣ, ଜୁଲାଇ ୨ରେ ୫୫ ଜଣ ଏବଂ ୩ ତାରିଖରେ ୫ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଏଯାବତ୍‌ ଏହି ହସ୍ପିଟାଲରୁ ୧୧୪ ଜଣ କରୋନା ପଜିଟିଭ୍‌ ବାହାରିଥିବା ଜଣାପଡ଼ିଛି। ସେହିପରି ଏସ୍‌ସିବି ଆେଇସୋଲେଶନ ଓ୍ବାର୍ଡ଼ରୁ ଶନିବାର ୬ ଜଣ ଏବଂ ନ୍ୟୁରୋ ସର୍ଜରୀ ଓ୍ବାର୍ଡରୁ ଜଣେ କର୍ମଚାରୀ କରୋନାର ଶିକାର ହୋଇଛନ୍ତି।

Share