Categories: ଜାତୀୟ

ଝାଡ଼ଖଣ୍ଡ ବିଧାନସଭା ନମାଜ କୋଠରୀରେ ତାଣ୍ଡବ ‘ଭଜନ-କିର୍ତ୍ତନ’ କରିବାକୁ ବସିଲେ ଭାଜପା ବିଧାୟକ

ରାଞ୍ଚି,୬ ।୯: ଝାଡ଼ଖଣ୍ଡ ବିଧାନସଭାରେ ସୋମବାର ତାଣ୍ଡବ ହୋଇଛି । ବିଧାନସଭା ପରିସରରେ ନମାଜ ପାଇଁ ଭିନ୍ନ କୋଠରୀ ଆଲଟମେଣ୍ଟକୁ ନେଇ ଏହା ହୋଇଛି । ଏହାକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକମାନେ ହଙ୍ଗାମା କରିଛନ୍ତି । ନମାଜ ପାଇଁ ଯୋଗାଇ ଦିଆଯାଇଥିବା କୋଠରୀକୁ ରଦ୍ଦ କରିବାକୁ ଦାବି କରିଛନ୍ତି । କେବଳ ଏତିକି ନୁହେଁ ବିଧାନସଭା ପରିସରରେ ହିଁ ବିଧାୟକମାନେ ‘ଭଜନ-କିର୍ତ୍ତନ’ ଆରମ୍ଭ କରିଦେଇଥିଲେ । ସୋମବାର ସକାଳୁ ହିଁ ବିଧାନସଭାରେ ଭକ୍ତିର ମାହୋଲ ସୃଷ୍ଟି ହୋଇଥିଲା । ଭାଜପା ବିଧାୟକ ଢୋଲ-ଗିନି, ଘଣ୍ଟି ଆଦି ଧରି ବିଧାନସଭା ପରିସରରେ ପହଞ୍ଚିଥିଲେ । ସେଠାରେ ଭାଜପାର ବିଧାୟକମାନେ ‘ହରେ ରାମ ହରେ କୃଷ୍ଣ’, ‘ହର ହର ମହାଦେବ’ ଓ ‘ଜୟ ଶ୍ରୀରାମ’ ଧ୍ୱନିରେ ଚତୁର୍ଦ୍ଦିଗ କମ୍ପାଇ ଦେଉଥିଲେ । ଦେବଘରର ଭାଜପା ବିଧାୟକ ନାରାୟଣ ଦାସ ତ ପୂଜାରୀ ବେଶଭୂଷାରେ ପହଞ୍ଚିଯାଇଥିଲେ । ଭାଜପା ବିଧାୟକମାନେ ସଫା ସଫା କହିଥିଲେ କି ସେମାନଙ୍କ ବିରୋଧ ସେପର୍ଯ୍ୟନ୍ତ ଜାରି ରହିବ ଯେପର୍ଯ୍ୟନ୍ତ ନମାଜ ପାଇଁ ହୋଇଥିବା ରୁମ ଆଲଟମେଣ୍ଟ ଆଦେଶକୁ ରଦ୍ଦ କରି ଦିଆ ନ ଯାଇଛି । ଅଥବା ଅଲଗା ଅଲଗା ଧର୍ମ ପାଇଁ କୋଠରୀ ଯୋଗାଇ ଦିଆ ନ ଯାଇଛି । କେବଳ ବିଧାନସଭା ବାହାରେ ନୁହେଁ ଭିତରେ ବି ହଙ୍ଗାମା ହୋଇଛି । ବିଧାନସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଭାଜପା ବିଧାୟକମାନେ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇଥିଲେ ଓ ବେଲ ପର୍ଯ୍ୟନ୍ତ ଚାଲି ଯାଇଥିଲେ । ଏହାପରେ ସ୍ପିକର ରବିନ୍ଦ୍ର ନାଥ ମହତୋ ବିଧାୟକଙ୍କୁ ଫେରିଯିବାକୁ କହିଥିଲେ ହେଲେ ଏକଥା କେହି ଶୁଣି ନ ଥିଲେ । ଶେଷରେ ବିଧାନସଭାକୁ ସ୍ଥଗିତ ରଖାଯାଇଥିଲା ।

Share