ରୁକ୍ମିଣୀ ଦେବୀଙ୍କ ପରଲୋକ

କୋଣାର୍କ,୨୮ା୧୦(ଡି.ଏନ୍‌.ଏ.): ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଆନ୍ଦୋଳନର ନିୟନ୍ତ୍ରିକା ତଥା କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମର ଅଧ୍ୟକ୍ଷା ରୁକ୍ମିଣୀ ଦେବୀଙ୍କର ୭୫ ବର୍ଷ ବୟସରେ ମଙ୍ଗଳବାର କଟକ ବିଡ଼ାନାସୀସ୍ଥ ଶୋଭନୀୟ ଆନ୍ଦୋଳନର ମୁଖ୍ୟ କାର୍ଯ୍ୟାଳୟଠାରେ ପରଲୋକ ହୋଇଯାଇଛି। ରବିବାର ଅସୁସ୍ଥତା କାରଣରୁ କୋଣାର୍କରୁ ସେ ଚିକିତ୍ସା ନିମନ୍ତେ କଟକ ଯାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସକାଳୁ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ଶୁଣି ହଜାର ହଜାର ଶୁଭେଚ୍ଛୁ ଶୋଭନୀୟ ଆନ୍ଦୋଳନର ସେବିକା ଓ ଶୋଭନୀୟ ଶିକ୍ଷାଶ୍ରମର ପୁରାତନ ଛାତ୍ରୀଛାତ୍ରଗଣ ମର୍ମାହତ ହୋଇପଡ଼ିଛନ୍ତି।
୧୯୭୪ରେ ଅବିଭକ୍ତ କଟକ ଜିଲାର ଉଦୟଗିରିରେ ଆରମ୍ଭ ହୋଇଥିବା ଶୋଭନୀୟ ଶିକ୍ଷାଶ୍ରମର ଅଧ୍ୟକ୍ଷା ଭାବେ ସେ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ପୂଜ୍ୟ କୁମାର ଭାଇଙ୍କ ଦ୍ୱାରା ପ୍ରତିଷ୍ଠିତ ଶୋଭନୀୟ ଆନ୍ଦୋଳନର ପ୍ରଥମ ସମ୍ପାଦିକା ଥିଲେ। ଏହାସହ ସେ କୋଣାର୍କ ସାହିତ୍ୟ ସଂସଦର ଉପସଭାପତି ତଥା ପ୍ରତିଷ୍ଠାତା ସଦସ୍ୟ ରୂପେ ଦାୟିତ୍ୱ ନିର୍ବାହ କରୁଥିଲେ। ତାଙ୍କ ବିୟୋଗରେ ମଙ୍ଗଳବାର ଶିଳ୍ପୀବାଟିକା ପରିସରରେ ଏକ ଶୋକସଭା ଆୟୋଜିତ ହୋଇଛି। ଅର୍କଶ୍ରୀ ସମ୍ପାଦକ ଉମେଶ ସ୍ବାଇଁ, ସାମାଜିକ କର୍ମୀ ହରିଶ୍ଚନ୍ଦ୍ର ଦାଶ, କୋଣାର୍କ ସାହିତ୍ୟ ସଂସଦର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ଗୋପ କଲେଜ ଅଧ୍ୟକ୍ଷ ପ୍ରକାଶଚନ୍ଦ୍ର ଖଟୋଇ, ନିରଂଜନ ସାହୁ ପ୍ରମୁଖ ରୁକ୍ମିଣୀ ଗୁରୁମାଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି।

Share