ଓଡ଼ଗାଁରୁ ଗଲା ରୁକୁଣା ରଥ କାଠ

ଓଡ଼ଗାଁ, ୫ା୨ (ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବନାଞ୍ଚଳ ଓ ବାହାଡ଼ାଝୋଲା ସେକ୍ସନ ଡହଙ୍ଗୀ ଗାଁରୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ନିମନ୍ତେ କାଠ ସଂଗ୍ରହ କରାଯାଇଛି। ଗଁାରେ ବିଜେ ମା’ ବ୍ରାହ୍ମଣୀ ଦେବୀଙ୍କ ମନ୍ଦିର ପରିସରରେ ଥିବା ଶତାୟୁ ବେଲଗଛ ନିକଟରେ ରଥ ନିମନ୍ତେ କାଠର ପୂଜାର୍ଚ୍ଚନା ହୋଇଛି। ବନ କର୍ମଚାରୀ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ପରେ ରଥ କାଠ ଛେଦନ କରାଯାଇଥିଲା। ଏଥିପାଇଁ ଶତାୟୁ ବେଲଗଛ ସହିତ କାଂସ ଓ ଶିମିଳି ଗଛକୁ ଚୟନ କରାଯାଇଥିଲା। ରୁକୁଣା ରଥ ପାଇଁ ଆବଶ୍ୟକ ମୁତାବକ ବେଲ, କାଂସ ଓ ଶିମିଳି ଗଛ ଛେଦନ କରାଯାଇ ୨ ଗଣ୍ଡି ଲେଖା ୬ ଗଣ୍ଡି କାଠ ପଠାଯାଇଛି। ଏଥିରେ ସ୍ଥାନୀୟ ରେଞ୍ଜର ଅମ୍ରିତ୍‌ କୁମାର ସାହୁ, ବାହାଡ଼ାଝୋଲା ବନପାଳ ସନାତନ ସ୍ବାଇଁ, ବନରକ୍ଷୀ ଧରଣୀଧର ନାୟକ, ସୁନୀଲ କୁମାର ନାୟକ, କବିରାଜ ସାହୁ ଓ ଫରେଷ୍ଟ ସ୍କ୍ବାଡ୍‌ ସହିତ ଡହଙ୍ଗୀ ଗ୍ରାମବାସୀ ଯୋଗଦେଇଥିଲେ। ରଥ କାଠ ଅନୁକୂଳ, ପୂଜାର୍ଚ୍ଚନା ସମୟରେ ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। କାଠ ଛେଦନ ପରେ ଭୁବନେଶ୍ୱର ଶ୍ରୀଲିଙ୍ଗରାଜଙ୍କ ରଥଖଳାକୁ ସମସ୍ତ କାଠଗଣ୍ଡି ଟ୍ରକ୍‌ରେ ପଠାଯାଇଛି। ଶ୍ରୀପଞ୍ଚମୀରେ ରଥକାଠ ଅନୁକୂଳ ହେବାର ବିଧି ରହିଛି।

Share