ଅନିଶ୍ଚିତତାରେ ରୁକୁଣା ରଥଯାତ୍ରା

ଭୁବନେଶ୍ୱର,୮ା୪(ବ୍ୟୁରୋ): ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରାକୁ ରହିଲା ଆଉ ୧୨ଦିନ। ସେଥିପାଇଁ ମହାଖଳାରେ ଜୋରସୋରରେ ଚାଲିଛି ରଥ ଚକ ନିର୍ମାଣ। ଗୁରୁବାର ଚକ ସରିବାପରେ ଅଖ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ବିଶ୍ୱକର୍ମା ସେବାୟତମାନେ ପ୍ରଭୁଙ୍କ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଏକ ପ୍ରକାର ଧ୍ୟାନମଗ୍ନ ହୋଇଯାଇଛନ୍ତି। ଗତବର୍ଷ କରୋନା କଟକଣା ଯୋଗୁ ରଥଯାତ୍ରା ବନ୍ଦ ହୋଇଥିଲା। ଏଥର ମଧ୍ୟ କରୋନାର ଦ୍ୱିତୀୟ ଲହରିର ପ୍ରଭାବ ଥିବାରୁ ରଥଯାତ୍ରା ନେଇ ଅନିଶ୍ଚିତତା ଦେଖାଦେଇଛି। ବିଏମ୍‌ସିର ଅନୁମତି ମିଳିଲେ ରଥଯାତ୍ରା ହେବ ବୋଲି ଲିଙ୍ଗରାଜ ମନ୍ଦିର ପ୍ରଶାସନ ସ୍ପଷ୍ଟ କରିଛି।
ଅଶୋକାଷ୍ଟମୀରେ ହେବାକୁ ଥିବା ରୁକୁଣା ରଥଯାତ୍ରାପାଇଁ ପ୍ରତିବର୍ଷ ପରି ଚଳିତ ବର୍ଷ ଫଗୁ ଦଶମୀ ଦିନ କାଠ ଅନୁକୂଳ ହୋଇଥିଲା। ହୋଲି ପରଠାରୁ ରଥର ୪ଚକ ନିର୍ମାଣ ଚାଲିଛି। ରଥ ନିର୍ମାଣରେ ପାଳିଆ ମହାରଣା ସେବାୟତ ୧୬ଜଣ, ଗାଁ ମହାରଣା ୩୫, ବେହେରା ଭୋଇ ୧୫ଜଣ ସେବାୟତ ପ୍ରତିଦିନ ପାଳିକରି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପାଳିଆ ସେବାୟତମାନେ ରଥ ନିର୍ମାଣ କରିବାପରେ ବ୍ରାହ୍ମଣ ସେବାୟତ ଯଥାରୀତି ପୂଜା କରିବେ। ପରେ ବ୍ରାହ୍ମଣ ସେବାୟତଙ୍କ ସହମତିକ୍ରମେ ପ୍ରଶାସନର ଅନୁମତି ମିଳିଲେ ରଥଯାତ୍ରା ହେବ। ଭକ୍ତମାନେ ରଥ ଟାଣିବେ। ହେଲେ ଗତବର୍ଷ ପରି ଏବର୍ଷର ସ୍ଥିତି ପ୍ରାୟ ସମାନ। କରୋନା କଟକଣା ରହିଛି। ବିଏମ୍‌ସି ଅନୁମତି ମିଳିଲେ ରଥଯାତ୍ରା ହୋଇପାରିବ। ସେଥିରେ ପୁଣି କେତେ ଲୋକଙ୍କୁ ନେଇ ରଥ ଟଣା ହେବ, ତାହା ମଧ୍ୟ ସ୍ଥିର କରାଯିବ। ରଥ ନିର୍ମାଣ ଜାରି ରହିଛି। କରୋନାର ସ୍ଥିତି ଅନୁଧ୍ୟାନ ପରେ ରଥଯାତ୍ରା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି। ଏ ସମ୍ପର୍କରେ ଲିଙ୍ଗରାଜ ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ ଦାଶ କହିଛନ୍ତି, ରୁକୁଣା ରଥଯାତ୍ରାପାଇଁ ଜୋରସୋରରେ ଚକକାମ ଚାଲିଛି। ଗୁରୁବାର ରଥ ଚକ କାମ ସରିବ। ଏହା ପରେ ଅଖ ଓ ରଥ ନିର୍ମାଣ ଚାଲିବ। ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଅନୁମତି ମିଳିଲେ ରଥଯାତ୍ରା ଅନୁଷ୍ଠିତ ହେବ।

କୋଇଲା ଅଭାବରୁ ଅଟକିଛି ରୁକୁଣା ରଥ ନିର୍ମାଣ
ଏକାମ୍ର ଆରାଧ୍ୟ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ହେଲେ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ଏବଂ ପ୍ରଶାସନ ପକ୍ଷରୁ କମାର ସେବାୟତଙ୍କୁ ଠିକ ସମୟରେ କୋଇଲା ଯୋଗାଇ ନ ପାରିବାରୁ କାର୍ଯ୍ୟ ଅଟକି ରହିଛି। ମେଶିନ ସହାୟତାରେ ନିର୍ମାଣ ନ କରି ସମ୍ପୂର୍ଣ୍ଣ ପାରମ୍ପରିକ ନୀତି ଓ କୌଶଳରେ ଏହି ରଥ ନିର୍ମାଣ ହେଉଥିବାରୁ ଆବହମାନ କାଳରୁ କମାର ସେବାୟତଙ୍କୁ ମନ୍ଦିର ଟ୍ରଷ୍ଟ ବୋର୍ଡ ଏବଂ ପ୍ରଶାସନ ତରଫରୁ ସହାୟତା ଯୋଗାଇ କୋଇଲା ଦିଆଯାଇଥାଏ। ମାତ୍ର ଏ ସମସ୍ତ ବିଷୟରେ ଅବଗତ ଥାଇ ମଧ୍ୟ ଏପରି ଅବ୍ୟବସ୍ଥା ଉପୁଜିବାରୁ ସେବାୟତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ବୁଧବାର କୋଇଲା ନ ଆସିପାରିବାରୁ ଦିନତମାମ କମାର ସେବାୟତ କାର୍ଯ୍ୟ କରି ନ ପାରି ନିରାଶ ହୋଇ ବସିରହିଥିଲେ।

 

Share