Categories: ଜାତୀୟ

୨୧ ବର୍ଷରେ ରାଜ୍ୟରେ ୧୦ ମୁଖ୍ୟମନ୍ତ୍ରୀଙ୍କ ଶାସନ …

ଡେରାଡୁନ୍‌,୩।୭: ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ପଦବୀରେ ରହିବା କୌଣସି ରାଜନେତାଙ୍କ ପକ୍ଷରେ ସମ୍ଭବ ହେଉନାହିଁ। ୧୧୪ ଦିନ ଶାସନ ଡୋର ଧରିବା ପରେ ତିରଥ ସିଂ ରାଓ୍ବତ ଇସ୍ତଫା ଦେଇଛନ୍ତି। ୨୦୦୦ରେ ଉତ୍ତରାଖଣ୍ଡ ସହିତ ଝାଡ଼ଖଣ୍ଡ ରାଜ୍ୟର ଜନ୍ମ ହୋଇଥିଲା। ଏହି ଦୁଇ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଆସନ ମଧ୍ୟରେ ବହୁ ସାମ୍ୟତା ଦେଖିବାକୁ ମିଳିଥାଏ। ଗତ ୨୧ ବର୍ଷ ମଧ୍ୟରେ ଝାଡ଼ଖଣ୍ଡରେ ଶାସନ ଦାୟିତ୍ୱରେ ୧୨ ଜଣ ମୁଖ୍ୟମନ୍ତ୍ରୀ ରହିଛନ୍ତି। ସେହିପରି ଉତ୍ତରାଖଣ୍ଡରେ ଏହି ସମୟ ମଧ୍ୟରେ ୧୦ ଜଣ ମୁଖ୍ୟମନ୍ତ୍ରୀ ଶାସନ କରିଛନ୍ତି। କେବଳ କଂଗ୍ରେସର ଏନ୍‌.ଡ଼ି, ତିଓ୍ବାରୀ ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ଭାବେ ନିଜର କାର୍ଯ୍ୟକାଳ ପୂରଣ କରିଛନ୍ତି। ୨୦୦୦ରେ ଭାଜପା ପକ୍ଷରୁ ନିତ୍ୟାନନ୍ଦ ସ୍ବାମୀଙ୍କୁ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଅଧିଷ୍ଠିତ କରାଯାଇଥିଲା। ମାତ୍ର ଏକ ବର୍ଷ ପରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭଗତ ସିଂ କୋଶୟାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ତେବେ ୨୦୦୨ ବିଧାନସଭା ନିର୍ବାଚନ ପରେ କଂଗ୍ରେସର ଏନ୍‌.ଡ଼ି, ତିଓ୍ବାରୀ ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ। ତାଙ୍କ କାର୍ଯ୍ୟକାଳ ପୂରର ପରେ ୨୦୦୭ରେ ଭାଜପା ରାଜ୍ୟରେ କ୍ଷମତା ଦଖଲ କରିଥିଲା। ଜେନେରାଲ ବି.ସି. ଖଣ୍ଡୁରୀ ନୂଆ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ୮୩୪ ଦିନ ପରେ ତାଙ୍କ ବିରୋଧରେ ବିଦ୍ରୋହ ହୋଇଥିଲା। ୨୦୧୨ରେ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଥିଲା। ତେବେ ଧାର୍ଯ୍ୟ ସମୟ ମଧ୍ୟରେ ବିଜୟ ବହୁଗୁଣା ଏବଂ ହରିଶ ରାଓ୍ବତ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା। ମାମଲା ସୁପ୍ରିମ୍‌କୋର୍ଟରେ ପହଞ୍ଚିଥିଲା। ୨୦୧୭ରେ ଭାଜପା ଶାସନକୁ ଫେରିଥିଲା। ସେବେଠାରୁ ଇତିମଧ୍ୟରେ ରାଜ୍ୟରେ ତିବେନ୍ଦ୍ର ସିଂ ରାଓ୍ବତଙ୍କ ପରେ ତିରଥ ସିଂ ରାଓ୍ବତଙ୍କ ମୁଖ୍ୟମନ୍ତ୍ରୀ ପଦବୀ ଗଲାଣି। ରାଜ୍ୟରେ ୨୦୨୨ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ପଦବୀ ନେଇ ଟଣାଓଟରା ଯୋଗୁ ଭାଜପାର ଚିନ୍ତା ବଢ଼ିବାରେ ଲାଗିଛି।

Share