ନିୟମ କଡ଼ାକଡି ହେଲେ କମିବ ସଂକ୍ରମଣ

ଝାରସୁଗୁଡ଼ା ଅଫିସ୍‌,୯।୧: ଝାରସୁଗୁଡ଼ା ଜିଲାରେ ଗତ ସପ୍ତାହ ମାଧ୍ୟମରେ କୋଭିଡ୍‌ ପଜିଟିଭ୍‌ ହାର ବୃଦ୍ଧି ପାଇଛି। ଏହା ଜିଲା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ସଂକ୍ରମଣକୁ କିଭଳି ରୋକି ହେବ ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଝାରସୁଗୁଡ଼ା ଜିଲା କୋଭିଡ୍‌ ପର୍ଯ୍ୟବେକ୍ଷକ ହେମନ୍ତ ଶର୍ମା ।

ଏପରି କି ପର୍ଯ୍ୟବେକ୍ଷକ ଶର୍ମା ଜିଲାପାଳ ସରୋଜ କୁମାର ସାମଲ ଓ ଅନ୍ୟ ଅଧିକାରୀଙ୍କ ସହ କରୋନା ସଂକ୍ରମଣକୁ କିପରି ରୋକା ଯାଇପାରିବ ସେ ନେଇ ଆଲୋଚନା କରିଥିଲେ। କରୋନା ପରୀକ୍ଷଣ, ୧୫ରୁ ୧୮ବର୍ଷ ତଥା ଅନ୍ୟ ସମସ୍ତ ବର୍ଗଙ୍କୁ ଟିକାକରଣ ତୋରାନ୍ବିତ କରିବା, କୋଭିଡ୍‌ ନିୟମକୁ କଡାକଡି ପାଳନ କରିବା, କୋଭିଡ୍‌ ହସ୍ପିଟାଲ୍‌ରେ ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଅଧିକାରୀଙ୍କ ସହିତ ମିଶି କୋଭିଡ୍‌ ହସ୍ପିଟାଲ୍‌, କୋଭିଡ୍‌ ପରୀକ୍ଷାଗାର, ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଅମ୍ଳଜାନ ପ୍ରକଳ୍ପ, ଜେଲ୍‌ ନିକଟସ୍ଥ ଓଟିଡିସି କୋଭିଡ୍‌ କ୍ୟାୟର ସେଣ୍ଟର ଆଦି ପରିଦର୍ଶନ କରିଥିଲେ। ଏଥିରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର(ଆର୍‌ଡିସି) ସୁରେଶ ଚନ୍ଦ୍ର ଦଳାଇ, ଅତିରିକ୍ତ ଜିଲାପାଳ ପ୍ରବୀର ନାୟକ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଡୋଲାମଣି ପଟେଲ, ଜାତୀୟ ସ୍ବାସ୍ଥ୍ୟ ମିଶନ ଜିଲା ପ୍ରକଳ୍ପ ପରିଚାଳକ ବୁଲୁନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share