ରଙ୍ଗିନ ରାତି ପାଇଁ ନିୟମ ଫୁ’

ଭୁବନେଶ୍ୱର,୧୬।୧୦(ସତ୍ୟଜିତ୍‌ ରାଉତ): କମିଶନରେଟ ପୋଲିସର କଡ଼ା ନିୟମ, ହେଲେ ଢିଲା ପାଳନ। ବାରମ୍ବାର ଚଢ଼ାଉ ଚାଲୁଛି, କିନ୍ତୁ ସବୁ ନିୟମ ଭାଙ୍ଗି ରାତି ସେମିତି ରଙ୍ଗିନ ହେଉଛି। ରାଜଧାନୀରେ ଥିବା ବାର୍‌, ନାଇଟ୍‌ କ୍ଲବ୍‌ ଓ ଡ୍ୟାନ୍ସବାର୍‌ଗୁଡ଼ିକ ବିଳମ୍ବିତ ରାତି ଯାଏ ଖୋଲା ରହୁଥିବାବେଳେ ମାଲିକମାନେ ସବୁ ନିୟମକୁ ଫୁ’ କରି ଉଡାଇ ଦେଉଛନ୍ତି। ରେଜିଷ୍ଟରକୁ ଠିକ୍‌ ଭାବେ ପରିଚାଳନା ନ କରି ନାନା ବେଆଇନ କାର୍ଯ୍ୟ ଚଳାଉଛନ୍ତି। ବେଆଇନ ଭାବେ ନାବାଳିକାଙ୍କୁ ନଚାଉଥିବାବେଳେ ମଦ ଓ ନିଷିଦ୍ଧ ନିଶା ସେବନ କରି ଗ୍ରାହକମାନେ ମତୁଆଲା ହେଉଛନ୍ତି। ଟଙ୍କା ଉଡାଇବା ସହ ନାନା ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ପୋଲିସ ଓ ଅବକାରୀ ବିଭାଗ କେବଳ ଚଢ଼ାଉ, ନୋଟିସ କରି ଭେଳିକି କରୁଥିବାରୁ ସହରର ରାତି ଅସୁରକ୍ଷିତ ହୋଇପଡୁଛି। ଏବେ ପାର୍ବଣକୁ ଦୃଷ୍ଟିରେ ରଖି କମିଶନରେଟ୍‌ ପୋଲିସ ତତ୍ପରତା ଦେଖାଉଥିବା ଭଳି ସହରବାସୀ ମନେ କରୁଛନ୍ତି। ‘ସେଫ୍‌ ସିଟି ଡ୍ରାଇଭ୍‌’ ଜରିଆରେ ଏକ ସ୍ବତନ୍ତ୍ର ପୋଲିସ ଟିମ୍‌ ଶନିବାର ବିଳମ୍ବିତ ରାତିରେ କଟକ ରୋଡ୍‌, ମଞ୍ଚେଶ୍ୱର, ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଅଞ୍ଚଳରେ ଥିବା ନାଇଟ୍‌ କ୍ଲବ୍‌, ଡ୍ୟାନ୍ସ ବାର୍‌ଗୁଡ଼ିକ ଉପରେ ଚଢ଼ାଉ କରିଛି। ଏହି ସମୟରେ କିଛି ବାର୍‌ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଥିବା ଜଣାପଡ଼ିଥିଲା। ଚନ୍ଦ୍ରଶେଖରପୁରସ୍ଥିତ ଏମ୍ବାସି, ବିବିଆଇ, ମିଡିଲ୍‌ଟନ୍‌ ରାତି ପ୍ରାୟ ୨ଟା ୩୦ ପର୍ଯ୍ୟନ୍ତ ଖୋଲା ରହିଥିବା ଦେଖିବାକୁ ମିଳିଥିଲା। ସେହିପରି କଟକ ରୋଡସ୍ଥିତ ପେଣ୍ଟାଗନ୍‌ ବାର୍‌ ମଧ୍ୟ ରାତି ପ୍ରାୟ ୨ଟା ପର୍ଯ୍ୟନ୍ତ ଖୋଲା ରହିଥିବାବେଳେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ତେବେ ଏଭଳି ନିୟମ ଭଙ୍ଗ ନ କରିବାକୁ ଏସବୁ ବାର୍‌କୁ ପୋଲିସ ପକ୍ଷରୁ ତାଗିଦ୍‌ କରିଦିଆଯାଇଛି।
ନିୟମ ଭଙ୍ଗ କରିଥିବା କଟକ ରୋଡସ୍ଥିତ ୫ଟି ଡ୍ୟାନ୍ସ ବାର୍‌କୁ ଅବକାରୀ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ସେଗୁଡ଼ିକ ହେଲା ପେଣ୍ଟାଗନ୍‌, ଆଲିଶାନ୍‌, ମହାନ୍ତି, ଏକାମ୍ର ଓ ଦୀପାଳି ଡ୍ୟାନ୍ସ ବାର୍‌। ଏନେଇ ଭୁବନେଶ୍ୱର ଅବକାରୀ ଇନ୍‌ସ୍ପେକ୍ଚର ବିକାଶ ନାୟକ କହିଛନ୍ତି, ନିୟମ ଭଙ୍ଗ ନ ହେବା ପାଇଁ ନିୟମିତ ବାର୍‌ଗୁଡ଼ିକୁ ଯାଞ୍ଚ କରାଯାଉଛି। ୮ଟି ଟିମ୍‌ ଗଠନ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଯାଞ୍ଚବେଳେ ୫ଟି ଡ୍ୟାନ୍ସ ବାର୍‌ ନିୟମ ଭଙ୍ଗ କରିଥିବା ଜଣାପଡ଼ିବାରୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ଉକ୍ତ ବାର୍‌ଗୁଡ଼ିକ ରେଜିଷ୍ଟର୍‌ ପରିଚାଳନା ଠିକ୍‌ ଭାବେ କରୁ ନ ଥିଲେ। କିଛି ସ୍ଥାନରେ ନକଲି ନୋଟ୍‌ ଉଡ଼ୁଥିବା ଦେଖିବାକୁ ମିଳିଥିଲା ବୋଲି ସେ କହିଛନ୍ତି।
ବାର୍‌ରେ ନାବାଳିକାଙ୍କୁ ଡ୍ୟାନ୍ସର ଭାବେ ନିୟୋଜିତ କରାଇ ନିୟମ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ଆସିବା ପରେ ଗତ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଅବକାରୀ ବିଭାଗ ପକ୍ଷରୁ କଟକ ରୋଡସ୍ଥିତ ୮ଟି ଡ୍ୟାନ୍ସ ବାର୍‌ରେ ମଧ୍ୟ ଚଢ଼ାଉ ହୋଇଥିଲା।

Share