Categories: ଜାତୀୟ

କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୨।୪: ଭାରତୀୟ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମିତାଲି ରାଜଙ୍କ ପରେ ଏବେ ରୁମେଲି ଧର ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷିୟା ରୁମେଲି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ୧୫ ବର୍ଷର କ୍ରିକେଟ କ୍ୟାରିଅରକୁ ଅଲବିଦା କହିଛନ୍ତି। ୨୦୦୩ରେ ଇଂଲଣ୍ଡ ବିପକ୍ଷ ଦିନିକିଆରେ ଧର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ରୁମେଲି ଧର ଭାରତ ପାଇଁ ଚାରୋଟି ଟେଷ୍ଟ, ୭୮ଟି ଦିନିକିଆ ଏବଂ ୧୮ ଟି -୨୦ ଅନ୍ତର୍ଜାତୀୟ ଖେଳିଥିଲେ। ଇଂଲଣ୍ଡରେ ୨୦୦୯ ଟି-୨୦ ବିଶ୍ୱକପରେ ସେ ଭାରତ ପାଇଁ ସର୍ବାଧିକ ଉଇକେଟ ନେଇଥିଲେ।
ଇନଷ୍ଟାଗ୍ରାମରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ସୂଚନା ଦେଇ ରୁମେଲି ଧର ଲେଖିଛନ୍ତି, ପଶ୍ଚିମବଙ୍ଗର ଶ୍ୟାମନଗରରୁ ଆରମ୍ଭ ହୋଇଥିବା ମୋର ୨୩ ବର୍ଷର କ୍ରିକେଟ ଯାତ୍ରା ଶେଷରେ ଶେଷ ହେବାକୁ ଯାଉଛି। ମୁଁ ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେଉଛି । ଏହି ଯାତ୍ରାରେ ଅନେକ ଉତ୍ଥାନ-ପତନ ଘଟିଥିଲା। ଭାରତୀୟ କ୍ରିକେଟ ଦଳ ପାଇଁ ଖେଳିବା ଏବଂ ୨୦୦୫ର ଫାଇନାଲରେ ପହଞ୍ଚିବା ମୋ ପାଇଁ ସବୁଠୁ ସ୍ମରଣୀୟ ହେବ। ଏହି ଯାତ୍ରାରେ, ଅନେକ ଥର ଆଘାତ ହେତୁ ମୋର କ୍ୟାରିଅର୍‌ ମଧ୍ୟ ଖରାପ ହୋଇଯାଇଥିଲା। କିନ୍ତୁ, ପ୍ରତ୍ୟେକ ଥର ମୁଁ ଅଧିକ ଶକ୍ତିଶାଳୀ ହୋଇ ଫେରି ଆସିଥିଲି। ମୁଁ ଏହି ସୁଯୋଗ ନେଇ ବିସିସିଆଇ, ବନ୍ଧୁ ଏବଂ ସାଥୀ ଖେଳାଳିମାନଙ୍କୁ ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଉଛି।

Share