ନିର୍ବାଚନ ଆସିଲେ ଗୁଜବ ହୁଏ

ଭୁବନେଶ୍ୱର,୧୯ା୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନକୁ ନେଇ ରାଜ୍ୟର ରାଜନୈତିକ ବାତାବରଣ ଉଷ୍ମ ରହିଛି। ଏହା ଭିତରେ କିଛିଦିନ ହେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ଥିବା ନେଇ ସାମାଜିକ ଗଣମାଧ୍ୟମଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିଲା। ତେବେ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ନାକୁ ଆସି ଏଭଳି ଗୁଜବରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।
ମୁଖ୍ୟମନ୍ତ୍ରୀ ଶୁକ୍ରବାର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବା ସହ ଏକମ୍ର ପ୍ରକଳ୍ପର ସମୀକ୍ଷା କରିଥିଲେ। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପ୍ରଶ୍ନ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ହସି ହସି କହିଥିଲେ, ‘ଯେବେ ନିର୍ବାଚନ ଆସେ, ମୋ ସ୍ବାସ୍ଥ୍ୟ ଭଲ ନ ଥିବା ନେଇ ଗୁଜବ କରାଯାଏ’। ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଓ ଭଲ ଅଛି। ଓଡ଼ିଶାବାସୀଙ୍କ ସେବା କରୁଛି। ଆମେମାନେ ମନେରଖିବା ଉଚିତ ଯେ ଏବେ ମଧ୍ୟ କୋଭିଡ୍‌ ରହିଛି। ଆମକୁ କୋଭିଡ୍‌ ସତର୍କତା ଅବଲମ୍ବନ କରିବା ସହ ମାସ୍କ ପିନ୍ଧିବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ହାରିବା ଭୟରେ ବିରୋଧୀମାନେ ଏପରି ଗୁଜବ ପ୍ରଚାର କରୁଛନ୍ତି କି ପ୍ରଶ୍ନର ଜବାବରେ ମୁଖ୍ୟମନ୍ତ୍ରୀ କହିଥିଲେ, ଏବେ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ଅଧିକ କିଛି କହିବା ଉଚିତ ହେବନାହିଁ। କିନ୍ତୁ ଏଭଳି ଗୁଜବ ଯେତେବେଳେ ସୃଷ୍ଟି ହୋଇଛି, ବିଜୁ ଜନତା ଦଳ ନିର୍ବାଚନରେ ଆହୁରି ଭଲ ପ୍ରଦର୍ଶନ କରିଛି।
ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଗତ କିଛିଦିନ ହେବ ସାମାଜିକ ଗଣମାଧ୍ୟମରେ ଗୁଜବ ପ୍ରଚାର କରାଯାଉଥିଲା। ଏହାପୂର୍ବରୁ ଜାନୁୟାରୀ ମାସରେ ମଧ୍ୟ ସମାନ ଗୁଜବ ସୃଷ୍ଟି କରାଯାଇଥିଲା। ୨୦୧୯ ନିର୍ବାଚନ ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗୁଜବ ହୋଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟାୟାମ ଭିଡିଓ ସାମ୍ନାକୁ ଆସିଥିଲା ଓ ମୁଖ୍ୟମନ୍ତ୍ରୀ ନିଜେ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ।

Share