ନୂଆଦିଲ୍ଲୀ,୨୩ା୭: ଦୌଡ଼ର ବାଦ୍ଶାହା କରୋନା ସମୟରେ ଏତେ ଅସହାୟ ହୋଇପଡ଼ିଛନ୍ତି ଯେ, ତାଙ୍କୁ ଘର ଚଳାଇବା ପାଇଁ ଟଙ୍କାଟିଏ ମିଳିଲାନି। ସେଥିପାଇଁ ଦିନକୁ ୩୦୦ ଟଙ୍କାରେ ମୂଲ ଲାଗିବାକୁ ଯାଉଛନ୍ତି। ଯାହାଙ୍କୁ ଲୋକମାନେ ଦିନେ କରତାଳି ମଧ୍ୟରେ ଉତ୍ସାହିତ କରୁଥିଲେ, ସେହି ବ୍ୟକ୍ତି ଆଜି ଏତେ ଅସହାୟ ଯେ ପରିବାରର ଖର୍ଚ୍ଚ ଚଳାଇବା ପାଇଁ ପ୍ରତିଦିନ ମଜୁରୀ ଲାଗିବାକୁ ବାହାରକୁ ଯାଉଛନ୍ତି।
ଏହି ଦୌଡ଼ାଳିଙ୍କ ଘର ସ୍ବର୍ଣ୍ଣପଦକ ସହ ଅନେକ ଟ୍ରଫିରେ ପୂରି ରହିଛି। ହେଲେ ଏହି କରୋନା ସଙ୍କଟ ସମୟରେ ତାଙ୍କୁ ଦୈନିକ ମଜୁରୀ ଲାଗିବାକୁ ପଡୁଛି। ଜାମସେଦପୁରର ସୁଦୂର ଆଦିବାସୀ ବହୁଳ ଗାଁ ନାଗଡିହର ଏହି ଦୌଡ଼ାଳି ଜଣଙ୍କ ଘରେ ଟ୍ରଫି ଉପରେ ଟ୍ରଫ। ମାତ୍ର ଆଜି ଘରେ ଖାଇବାକୁ ନାହିଁ। ଯେଉଁଥିପାଇଁ ସେ ମୂଲ ଲାଗିବାକୁ ଯାଉଛନ୍ତି।
୧୦ ହଜାର ମିଟର ଟ୍ରାକ୍ ଏବଂ ଫିଲ୍ଡରେ ଦୌଡ଼ିଥିବା ବାଦଶାହା ତଥା ମାରାଥନ୍ ରାଜା ଅର୍ଜୁନ ଟୁଡୁଙ୍କ ଘରେ ଟ୍ରଫି ରଖିବାକୁ ସ୍ଥାନ ନାହିଁ। କିନ୍ତୁ ଅଛି ଖାଦ୍ୟାଭାବ। ସେ କହିଛନ୍ତି ଯେ, ଲକଡାଉନ ହେତୁ କୌଣସି ସ୍ଥାନରେ ମାରାଥନ ରେସ୍ ହେଉନାହିଁ। ଆମେ ପୁରସ୍କାର କେଉଁଠୁ ଜିତିବୁ ଏବଂ ତା’ପରେ ଆମ ପରିବାର କେମିତି ଚଳିବ? ସେଥିପାଇଁ ମୂଲ ଲାଗିବାକୁ ପଡୁଛି।
୨୦୧୦ ମସିହାରୁ ଆଜିପର୍ଯ୍ୟନ୍ତ ଅର୍ଜୁନ ଯେଉଁଠି ବି ଦୌଡ଼ରେ ଭାଗ ନେଇଛନ୍ତି, ସେଠାରେ ସ୍ବର୍ଣ୍ଣପଦକ ଜିତିଛନ୍ତି। ଏହି ସ୍ବର୍ଣ୍ଣପଦକ ତାଙ୍କ ଘରେ ଛାଇଯାଇଛି। ମାତ୍ର ଖାଇବାକୁ ନାହିଁ ବୋଲି ମୂଲ ଲାଗୁଛନ୍ତି।