Categories: ଖେଳ

ଡବଲ୍ସରେ ଦେବାଶିଷ ରନରଅପ୍‌

ଭୁବନେଶ୍ୱର, ୯।୧୦(ତପନ ସ୍ବାଇଁ): ଓଡ଼ିଶାର ପ୍ରତିଭା ସମ୍ପନ୍ନ ଟେନିସ ଖେଳାଳି ଦେବାଶିଷ ସାହୁ ଅନ୍ତର୍ଜାତୀୟ ଟେନିସରେ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଘାନାର ଆକ୍ରାରେ ଅନୁଷ୍ଠିତ ୧୮ ବର୍ଷରୁ କମ୍‌ ଆଇଟିଏଫ୍‌ (ଅନ୍ତର୍ଜାତୀୟ ଟେନିସ ଫେଡେରେଶନ) ଜେ ୬୦ ଟୁର୍ନାମେଣ୍ଟର ଡବଲ୍ସରେ ସେ ରନରଅପ୍‌ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ଦେବାଶିଷଙ୍କ ପାର୍ଟନରଥିଲେ ସର୍ବିୟାର ନିକୋଲା ଜୋଭିକ୍‌। ଦେବାଶିଷ-ଜୋଭିକ୍‌ ଯୋଡ଼ି ପ୍ରଥମ ରାଉଣ୍ଡରେ ଆରନ ଅରମା-ହନିଫ ବୋଟେଙ୍ଗଙ୍କୁ ୬-୧, ୬-୧ ସେଟ୍‌ରେ ହରାଇବାପରେ କ୍ୱାର୍ଟର ଫାଇନାଲରେ କୋସି ଆନ୍ଦ୍ରେ ଡଗବେଫୁ-ଇକେନା ପ୍ରସ୍ପର ଓକୋନୋକୋଙ୍କୁ ୭-୬, ୬-୨ରେ ପରାସ୍ତ କରିଥିଲେ।

ସେମିଫାଇନାଲରେ ଏହି ଯୋଡ଼ି ନାଇଜେରିଆର ଡାନିଏଲ ଆଡେଲେୟେ ଓ ଡାଭିଡ ଏକପେନଙ୍ଗ୍‌ଙ୍କୁ ୬-୨, ୭-୬ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ଟାଇଟଲ ପର୍ଯ୍ୟାୟରେ ଲଢ଼ୁଆ ପ୍ରଦର୍ଶନ ସେତ୍ତ୍ୱ ଦେବାଶିଷ-ଜୋଭିକ୍‌ ପ୍ରତିପକ୍ଷ ଘାନାର ରାଫାଲ ନି ଅଙ୍କ୍ରା ଓ ଆମେରିକାର କାରେଲ ଅବ୍ରିଏଲ ଏନ୍‌ଗୋନୋଇଙ୍କଠାରୁ ୬-୩, ୫-୭, ୫-୧୦ରେ ହାରି ଯାଇଥିଲେ। ସିଙ୍ଗଲ୍ସରେ ମଧ୍ୟ ଦେବାଶିଷ ଆକର୍ଷଣୀୟ ପ୍ରଦର୍ଶନ କରି ସେମିଫାଇନାଲ ପର୍ଯ୍ୟନ୍ତ ଉନ୍ନିତ ହୋଇଥିଲେ।

୨୦୨୪ ଜାନୁୟାରୀରେ ହେବାକୁଥିବା ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସର ଜୁନିୟର ବର୍ଗରେ ଖେଳିବା ପାଇଁ ଦେବାଶିଷ କଡ଼ା ସଂଘର୍ଷ ଜାରି ରଖିଛନ୍ତି। ଚଳିତ ବର୍ଷ ଶେଷ ବେଳକୁ ସେ ୧୫୦ ର଼୍ୟାଙ୍କ୍‌ ଭିତରେ ରହିବାକୁ ମଧ୍ୟ ଉଦ୍ୟମ ଜାରି ରଖିଛନ୍ତି। ନିଜର ଏହି ସଫଳତା ପାଇଁ ଦେବାଶିଷ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଟେନିସ ଆସୋସିଏଶନକୁ ଶ୍ରେୟ ଦେଇଛନ୍ତି। ଆସୋସିଏଶନ ଓ କ୍ରୀଡ଼ା ବିଭାଗର ସମର୍ଥନ ମିଳୁ ନ ଥିଲେ ଏପରି ଟୁର୍ନାମେଣ୍ଟ ଗୁଡ଼ିକରେ ଖେଳିବା ସମ୍ଭବ ହେଉ ନ ଥାନ୍ତା ବୋଲି ସେ ପ୍ରକାଶ କରିଛନ୍ତି। ଆସନ୍ତା ସପ୍ତାହରେ ସେ ସେହି ଘାନାର ଆକ୍ରାଠାରେ ଆଇଟିଏଫ୍‌ ଜେ୧୦୦ ଟୁର୍ନାମେଣ୍ଟରେ ଖେଳିବେ।

Share