ରାଶନ କାର୍ଡ ପାଇଁ ବ୍ଲକକୁ ଦୌଡ଼ି ନୟାନ୍ତ ହେଲେଣି ଟିକିଲତା

ନୂଆଗାଁ,୧୦ା୫ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତ ମାଳିସାହି ଗ୍ରାମର ବିଧବା ମହିଳା ଟିକିଲତା ରାଶନ କାର୍ଡ ପାଇଁ ବ୍ଲକକୁ ଦୌଡ଼ି ନୟାନ୍ତ ହେଲେଣି । ମଙ୍ଗଳବାର ପୁନର୍ବାର ନୂଆଗାଁ ବ୍ଲକକୁ ଆସି ଏ ବିଷୟ ଲିଖିତ ଭାବେ ବିଡ଼ିଓଙ୍କୁ ଜଣାଇଛନ୍ତି। ଦାରିଦ୍ର୍ୟର ସୀମାରେଖା ତଳେ ରହିଥିବା ଗରିବ ଲୋକମାନଙ୍କୁ ଖାଦ୍ୟ ସୁରକ୍ଷା ଆଇନରେ ରାଶନ ସାମଗ୍ରୀ ଯୋଗାଇ ଦେବା ପାଇଁ ସରକାର ରାଶନ କାର୍ଡର ବ୍ୟବସ୍ଥା କରିଛନ୍ତି। କିନ୍ତୁ ଅନେକ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଖାଦ୍ୟ ସୁରକ୍ଷା ଆଇନରେ ପ୍ରକୃତ ହିତାଧିକାରୀ ରାଶନ କାର୍ଡ ପାଇବାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି । ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତ ମାଳିସାହି ଗ୍ରାମର ଟିକିଲତା ମହାପାତ୍ରଙ୍କ ଅଭିଯୋଗ ମୁତାବକ ତାଙ୍କ ସ୍ବାମୀ ମାନସ ରଞ୍ଜନ ମହାପାତ୍ର ଜଣେ ଗାଡ଼ି ଚାଳକ ଥିଲେ। ସେଥିରୁ ସେ ଯାହା ରୋଜଗାର କରନ୍ତି ସେଥିରେ ତାଙ୍କ ପରିବାର ଚଳୁଥିଲା। ଆଜିକୁ ୬ ବର୍ଷ ତଳେ ଏକ ଦୁର୍ଘଟଣାରେ ତାଙ୍କର ପରଲୋକ ଘଟିଥିଲା । ସେଦିନଠାରୁ ୩ ବର୍ଷର ପୁଅକୁ ଧରି ସେ ଦୁଃଖକଷ୍ଟରେ ଦିନ କାଟୁଛନ୍ତି। ଏବେ ପୁଅର ବୟସ ୯ ବର୍ଷ । ଏପରି ପରିସ୍ଥିତିରେ ଟିକିଲତାଙ୍କୁ ମିଳୁଥିବା ୫ଶହ ଟଙ୍କା ବିଧବା ଭତ୍ତାରେ ପରିବାର ଚଳାଇବା କେତେ ଯେ କଷ୍ଟ ତାହା ସମସ୍ତେ ଜାଣନ୍ତି। ତେବେ ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନ ବଳରେ ରାଶନ କାର୍ଡଟିଏ କରିବା ପାଇଁ ଗାଡ଼ି ଖର୍ଚ୍ଚ କରି ସେ ଅନେକ ଥର ବ୍ଲକ କାର୍ଯ୍ୟାଳୟକୁ ଆସିଛନ୍ତି। ବିଭାଗୀୟ ଅଧିକାରୀ, ବିଡ଼ିଓ , ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ବାରମ୍ବାର ଗୁହାରୀ କରିଥିଲେ ମଧ୍ୟ ତାଙ୍କ ଦୁଃଖ କେହି ଶୁଣୁ ନ ଥିବା ସେ କାନ୍ଦି କନ୍ଦି ବିଡିଓଙ୍କୁ କହିଛନ୍ତି। ଟିକିଲତାଙ୍କଠାରୁ ସମସ୍ତ କଥା ଶୁଣିବା ପରେ ବିଡିଓ ସଚ୍ଚିଦାନନ୍ଦ ମିଶ୍ର ବ୍ଲକ ଯୋଗାଣ ନୀରିକ୍ଷକ ବି.ଶ୍ରୀହର୍ଷଙ୍କୁ ଡାକି ଅଗ୍ରାଧିକାର ଭିତ୍ତିରେ ଟିକିଲତାଙ୍କୁ ରାଶନ କାର୍ଡ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share