Categories: ଖେଳ

ଦୁଇ ପଦକ ଜିତିବାରେ ରୂପାଲ ପ୍ରଥମ ଭାରତୀୟ

କାଲି(କଲମ୍ବିଆ),୬ା୮: ୨୦ବର୍ଷରୁ କମ୍‌ ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ପ୍ରଥମ ଭାରତୀୟ ଆଥ୍‌ଲେଟ ଭାବେ ଦୁଇଟି ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି ରୂପାଲ ଚୌଧାରୀ। ସେ ଏଠାରେ ପ୍ରଥମେ ୪X୪୦୦ ମିଟର ରିଲେରେ ରୌପ୍ୟ ପଦକ ଏବଂ ପରେ ମହିଳା ୪୦୦ ମିଟରରେ ଏକ ବ୍ରୋଞ୍ଜ ପାଇଛନ୍ତି। ଉତ୍ତର ପ୍ରଦେଶର ମିରଟ ଜିଲା ଅନ୍ତର୍ଗତ ଶାହପୁର ଜୈନପୁର ଗ୍ରାମର ଏକ ସାଧାରଣ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିବା ୧୭ବର୍ଷୀୟା ରୂପାଲ ଗୁରୁବାର ରାତିରେ ଅନୁଷ୍ଠିତ ମହିଳା ୪୦୦ ମିଟର ରେସ୍‌ରେ ୫୧.୮୫ ସେକେଣ୍ଡ ଟାଇମିଂରେ ତୃତୀୟ ହୋଇଥିଲେ। ଗ୍ରେଟ୍‌ ବ୍ରିଟେନର ୟେମି ମେରୀ ଜନ୍‌ (୫୧.୫୦) ଓ କେନିୟାର ଡାମାରିସ୍‌ ମୁଟୁଙ୍ଗା (୫୧.୭୧) ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହି ସ୍ବର୍ଣ୍ଣ ଓ ରୌପ୍ୟ ଜିତିଥିଲେ। ମଙ୍ଗଳବାର ମହିଳା ୪X୪୦୦ ମିଟର ରିଲେ ଫାଇନାଲରେ ଆମେରିକା ପଛକୁ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ଜିତିଥିବା ଭାରତୀୟ ଦଳର ସେ ଅନ୍ୟତମ ସଦସ୍ୟା ଥିଲେ। ଏହି ଦଳ ୩:୧୭.୭୬ ସେକେଣ୍ଡ ଟାଇମିଂରେ ଏସିଆନ ଜୁନିୟର ରେକର୍ଡ କରିଥିଲା। ସେହିଦିନ ସେ ବ୍ୟକ୍ତିଗତ ୪୦୦ମିଟର ଦୌଡ଼ ପ୍ରଥମ ରାଉଣ୍ଡ ହିଟ୍‌ରେ ଭାଗ ନେଇଥିଲେ। ପରେ ମଙ୍ଗଳବାର ସେମିଫାଇନାଲ ଏବଂ ଗୁରୁବାର ରାତିରେ ଫାଇନାଲରେ ଅଂଶଗ୍ରହଣ କରିଥିଲେ। ଚାମ୍ପିୟନଶିପ୍‌ରେ ସେ ଦୁଇଥର ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂକୁ ଅତିକ୍ରମ କରିଥିଲେ। ପ୍ରଥମତଃ ୫୨.୨୭ସେକେଣ୍ଡ ଟାଇମିଂରେ ସେମିଫାଇନାଲ
ଏବଂ ପରେ ଫାଇନାଲରେ। ସୂଚନାଯୋଗ୍ୟ, ହିମା ଦାସଙ୍କ ପରେ ରୂପାଲ ଦ୍ୱିତୀୟ ଭାରତୀୟ ଭାବେ ମହିଳା ୪୦୦ମିଟରରେ ଏକ ପଦକ ଜିତିଛନ୍ତି। ହିମା ଫିନ୍‌ଲାଣ୍ଡରେ ଅନୁଷ୍ଠିତ ୨୦୧୮ ସଂସ୍କରଣରେ ୫୧.୪୬ ସେକେଣ୍ଡ ଟାଇମିଂରେ ଐତିହାସିକ ସ୍ବର୍ଣ୍ଣ ହାସଲ କରିଥିଲେ। ଅଲିମ୍ପିକ ଚାମ୍ପିୟନ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ପ୍ରଥମ ଭାରତୀୟ ଭାବେ ୨୦୧୬ରେ ପୋଲାଣ୍ଡରେ ଅନୁଷ୍ଠିତ ଏହି ଚାମ୍ପିୟନଶିପ୍‌ରେ ପ୍ରଥମ ଭାରତୀୟ ଭାବେ ସ୍ବର୍ଣ୍ଣ ଜିତିଥିଲେ। ରୂପାଲଙ୍କ ବ୍ରୋଞ୍ଜ ଚାମ୍ପିୟନଶିପ୍‌ରେ ଓଭରାଲ ୯ମ ପଦକ, ଯାହାକି ପୂର୍ବରୁ ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌ ଭାବେ ପରିଚିତ ଥିଲା। ୨୦୨୧ରେ ନାଇରୋବିରେ ଅନୁଷ୍ଠିତ ଗତ ସଂସ୍କରଣରେ ଭାରତ ୨ ରୌପ୍ୟ ଓ ୧ ବ୍ରୋଞ୍ଜ ସହ ମୋଟ ୩ଟି ପଦକ ଲାଭ କରିଥିଲା।

Share