Categories: ଜାତୀୟ

ଭୂପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରାଯିବା ପରେ ରୂପାନୀ ଦେଲେ ଏମିତି ପ୍ରତିକ୍ରିୟା

ଗାନ୍ଧିନଗର,୧୨।୯: ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଗୁଜରାଟରେ ରାଜନୈତିକ ସଙ୍କଟର ସମାଧାନ ପାଇଁ ରବିବାର ବିଧାନସଭା ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ସ୍ଥିର କରାଯାଇଥିଲା। ଗୁଜରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଭୂପେନ୍ଦ୍ର ପଟେଲ। ଭାଜପାର ପର୍ଯ୍ୟବେକ୍ଷକ ତଥା କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଗଣମାଧ୍ୟମ ଆଗରେ ତାଙ୍କ ନାମ ଘୋଷଣା କରି କହିଛନ୍ତି ଯେ, ଆଜି ଅନୁଷ୍ଠିତ ବୈଠକରେ ପଟେଲ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି।
ଭୂପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରାଯିବା ପରେ ବିଜୟ ରୂପାନୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦଳର କର୍ମୀ ତଥା ଗଣମାଧ୍ୟମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଅଗ୍ରଗତି କରୁଛି। ଏଭଳି ପରିସ୍ଥିତିରେ ମୁଁ ଆଶା କରୁଛି ଯେ ଭୂପେନ୍ଦ୍ର ପଟେଲଙ୍କ ନେତୃତ୍ୱରେ ଗୁଜରାଟ ମଧ୍ୟ ଅଗ୍ରଗତି କରିବ। ମୋ ତରଫରୁ ଅନେକ ଅଭିନନ୍ଦନ। ଭୂପେନ୍ଦ୍ର ଭାଇ ସକ୍ଷମ ଏବଂ ଆସନ୍ତା ନିର୍ବାଚନରେ ତାଙ୍କ ନେତୃତ୍ୱରେ ଦଳ ଜିତିବ ବୋଲି ଆମର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ବୋଲି ରୁପାନୀ କହିଛନ୍ତି।

Share