ବୈଶ୍ବିକ ସମସ୍ୟା, ଅଶୋଧିତ ତୈଳ ଦାମ୍ ବୃଦ୍ଧିର ପ୍ରଭାବ, ରେକର୍ଡ ନିମ୍ନ ସ୍ତରକୁ ଖସିଲା ଟଙ୍କା

ନୂଆଦିଲ୍ଲୀ, ୧୬।୧୦:(୧୦) ଭାରତୀୟ ଟଙ୍କାର ମୂଲ୍ୟ ସୋମବାର ଐତିହାସିକ ନିମ୍ନ ସ୍ତରକୁ ହ୍ରାସ ପାଇଛି। ବିଶ୍ୱ ବଜାରରେ ଅଶୋଧିତ ତେଲର ଦର ବୃଦ୍ଧି ପାଇ ବ୍ୟାରେଲ ପିଛା ୯୦ ଡଲାର ପାର କରିବା ଏବଂ ଡଲାର ତୁଳନାରେ ଅନ୍ୟ ଏସୀୟ ମୁଦ୍ରାର ମୂଲ୍ୟ ହ୍ରାସ ପାଇବା ପରେ ଭାରତୀୟ ଟଙ୍କା ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିଲା। ଯାହାପରେ ସୋମବାର ଭାରତୀୟ ଟଙ୍କା ଡଲାର ତୁଳନାରେ ୮୩.୨୭ ରେ ବନ୍ଦ ହୋଇଥିଲା। ଏହା ପୂର୍ବରୁ ୧୮ ସେପ୍ଟେମ୍ବରରେ ଭାରତୀୟ ଟଙ୍କା ୮୩.୨୬ ରେ ପହଞ୍ଚିଥିଲା।

ରିଉଟର୍ସ ରିପୋର୍ଟ ଅନୁଯାୟୀ ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରଣ କାରଣରୁ ଟଙ୍କାର ମୂଲ୍ୟରେ କୌଣସି ବଡ଼ ହ୍ରାସ ଦେଖିବାକୁ ମିଳିନାହିଁ। ଆରବିଆଇ ଆମେରିକା ଡଲାର ବିକ୍ରି କରୁଥିବାରୁ ଭାରତୀୟ ଟଙ୍କା ଉପରେ ବିଶେଷ ପ୍ରଭାବ ପଡୁନାହିଁ। ଆରବିଆଇ ସ୍ପଟ ଟ୍ରେଡିଂ ସେସନ ସମୟରେ ଦାଖଲ ଦେଇ ଡଲାର ବିକ୍ରି କରିଥିଲା। ତେବେ ଯେତେବେଳେ ଡଲାର ତୁଳନାରେ ଭାରତୀୟ ଟଙ୍କା ୮୩.୨୮ କୁ ହ୍ରାସ ପାଇଥିଲା ସେ ସମୟରେ ସରକାରୀ ବ୍ୟାଙ୍କ ଆରବିଆଇ ପକ୍ଷରୁ ଡଲାର ବିକ୍ରି କରିଥିଲେ।

ତେବେ ବର୍ତ୍ତମାନ ଇସ୍ରାଏଲ ଏବଂ ହାମସ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି କାରଣରୁ ମୁଦ୍ରା ବଜାରରେ ଡଲାର ତୁଳନାରେ ଟଙ୍କା ୩ ପଇସା ହ୍ରାସ ପାଇବା ସହିତ ୮୩.୨୬ ସ୍ତରରେ ବନ୍ଦ ହୋଇଥିଲା।

Share